ବନ୍ଧକ ଥିବା ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା : ସର୍ଦ୍ଧାରକୁ ଗିରଫ କଲା ପୁଲିସ

ବଲାଙ୍ଗିର,ଏନଏନଏସ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ସିନଖମନ ଗାଁରେ ଦାଦନ ଶ୍ରମିକମାନଙ୍କୁ ଦୁଇଜଣ ଦାଦନ ସର୍ଦ୍ଦାର ବନ୍ଧକ କରି ରଖିଥିଲେ । ତେବେ ଠିକ ଭାବେ ଖାଇବା ପିଇବା ନପାଇ ଜଣେ ଦାଦନ ରୋଗଗ୍ରସ୍ତ ହୋଇଯାଇଥିଲେ । ହେଲେ ସର୍ଦ୍ଦାର ତାଙ୍କୁ ଡାକ୍ତରଖାନା ନେଇ ନଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ଘଟି ଥିଲା । ଏହି ଘଟଣାର ତଦନ୍ତ କରି ପୁଲିସ ଦୁଇଜଣ ଦାଦନ ସର୍ଦ୍ଦାରକୁ କାବୁ କରିଛି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଅନ୍ତର୍ଗତ ରେଙ୍ଗାଲୀ ଗାଁ କ୍ଷମାନିଧି ମେହେର(୪୧) ଓ ଅନ୍ୟ ଜଣେ ଦେଓଗାଁ ଥାନା ଅନ୍ତର୍ଗତ ସିନଖମନ ଗାଁର ଲଖିନ୍ଦ୍ର ଓରଫ ଫୁଲ କୁମ୍ଭାର(୩୨) । ଅଭିଯୁକ୍ତଦ୍ୱୟଙ୍କ ନା’ରେ ମାମଲା ରୁଜୁ କରି ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା । ତେବେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇଦେଇଛି ।

ସୂଚନା ଅନୁଯାୟୀ, ଗତ ମାସ ୨୭ ତାରିଖରେ ଦାଦନ ସର୍ଦ୍ଦାର ଦ୍ୱୟ ବରଗଡ ଜିଲ୍ଲା ଭବାନୀପାଲି ଗାଁରୁ ଦାଦନ ପଠାଇବା ପାଇଁ ୯ ଜଣ ଶ୍ରମିକଙ୍କୁ ବେଆଇନ ଭାବେ ଆଣିଥିଲେ । ସେଥିରୁ ସେହିଦିନ ୬ ଜଣ ଶ୍ରମିକଙ୍କୁ ତେଲେଙ୍ଗାନାର ଏକ ଇଟାଭାଟିକୁ ଚାଲାଣ କରିଥିଲେ ଓ ଅନ୍ୟ ତିନି ଜଣଙ୍କୁ ବେଆଇନ ଭାବେ ବନ୍ଧକ ରଖିଥିଲେ । ତେବେ ବନ୍ଧକ ଥିବା ଅବସ୍ଥାରେ କେନାଲୁ ମଲ୍ଲିକ ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ଚପାଇ ଦେବା ପାଇଁ ସର୍ଦ୍ଦାରଦ୍ୱୟ ସବୁ ପ୍ରକାର ଉଦ୍ୟମ କରିଥିଲେ । ଏପରି କି ରାତିରେ କେନାଲୁଙ୍କ ଶବ ଗାଁକୁ ପଠାଇ ଦେଇ ପୋତି ଦେଇଥିଲେ । ତେଲେଙ୍ଗାନାକୁ ପଠା ଯାଇଥିବା ୬ ଜଣ ଦାଦନ ଶ୍ରମିକ ସେଠାରେ ପହଞ୍ôଚବା ପରେ ଟଙ୍କା ଦେବୁ କହି ସର୍ଦ୍ଦାରଦ୍ୱୟ ଅନ୍ୟ ତିନି ଜଣ ଶ୍ରମିକଙ୍କୁ ବନ୍ଧକ ରଖିଥିଲେ। ଘଟଣାକୁ ଚପାଇ ଦେବା ପାଇଁ ସବୁ ପ୍ରକାର ଉଦ୍ୟମ ହୋଇଥିଲା । ହେଲେ ସତ ଦିନେ ନା ଦିନେ ତ’ ପଦାକୁ ଆସିବ ।