କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ବାଲିମେଳା ଅବକାରୀ ବିଭାଗ ୨ ଜଣ ଚୋରା ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଦୁଇ ଗିରଫ ବ୍ୟକ୍ତି ହେଲେ ଶେଖ ଅସଲାମ(୩୨) ଏବଂ ଅବଦୁଲ ଆଲିମ(୩୫)। ଦୁହେଁ ନବରଙ୍ଗପୁର ଜିଲ୍ଲାର ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ ବାଲିମେଳା ଅବକାରୀ ବିଭାଗ ଓଆଇସି ଜଗା ରାଓଙ୍କ ନେତୃତ୍ବରେ ଏକ ଟିମ ବାଲିମେଳା-ଜୟପୁର ମୁଖ୍ୟ ରାସ୍ତାର ସୁନାନଗର ଘାଟିଠାରେ ଗାଡ଼ି ଯାଞ୍ଚ କରୁଥିବା ସମୟରେ ବାଲିମେଳା ପଟୁ ଜୟପୁର ଅଭିମୁଖେ ଆସୁଥିବା ଦୁଇଟି ବାଇକ (ଓଡ଼ି-୧୦ଏଫ-୦୮୫୨) ଆପାଚି ଓ ଅନ୍ୟଟି (ସିଜି-୦୪ଏମଡି-୩୭୧୩) ହିରୋ ଏଚଏଫ ଡିଲକ୍ସକୁ ଦେଖି ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲା। ଦୁଇଟି ବାଇକର ପଛ ଭାଗରେ ଦୁଇଟି ପଲିଥିନ ବ୍ୟାଗରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ପରେ ଦୁଇ ବାଇକକୁ ଜବତ କରିବା ସହ ଦୁଇ ବ୍ୟକ୍ତିଙ୍କୁ ଗିରଫ କରି ବାଲିମେଳା ଅବକାରୀ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଜବତ ଦୁଇ ପଲିଥିନ ବ୍ୟାଗରୁ ୨୪ କେଜି ୪୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଛି। ଯାହାର ଆନୁମାନିକ ମୂଲ୍ୟ ଏକଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଏହି ଗଞ୍ଜେଇ ଚିତ୍ରକୋଣ୍ଡାରୁ ନବରଙ୍ଗପୁରକୁ ଚାଲାଣ କରାଯାଉଥିବା ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି। ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଓଆଇସି ଜଗା ରାଓ ସୂଚନା ଦେଇଛନ୍ତି।