ବାଗଲପୁର ଡକାୟତି ଘଟଣାରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ବିରିଡି,ଏନ୍ଏନ୍ଏସ୍ : ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ୨୨-ମୌଜା ବାଗଲପୁରରେ ଗତ ଏପ୍ରିଲ ୧୦ରେ ହୋଇଥିବା ଡକାୟତି ଘଟଣାରେ ୨ଜଣ ଦୁର୍ଦ୍ଦାନ୍ତ ଅପରାଧୀ ମୁନା ଓ ପ୍ରକାଶକୁ ଗିରଫ କରି କୋର୍ଟ ଚାଲଣ କରିଛି ବିରିଡି ପୁଲିସ। ମିଳିଥିବା ସୂଚନା ଅନୁଯାୟୀ, ୨୨-ମୌଜା ବାଗଲପୁର ଗ୍ରାମର ସୁବ୍ରତ କୁମାର ଦାସଙ୍କ ଘରୁ ଗତ ଅପ୍ରିଲ ୧୦ ତାରିଖରେ ଗ୍ରୀଲ୍ ତାଡ଼ି ଘରେ ଥିବା ୫୦ ହଜାର ଟଙ୍କା ଏକ ଏଲସିଡି ଟିଭି, ୨୫ ହଜାର ଟଙ୍କାର ଏକ ମୁଦି ଏବଂ ଅନ୍ୟାନ୍ୟ ବହୁ ଜିନିଷପତ୍ର ଉଠାଇ ନେଇଥିଲେ। ଏ ସମ୍ପର୍କରେ ଶ୍ରୀ ଦାସ ବିରିଡ଼ି ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ବିରିଡି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ବିଶେଷ ସୂତ୍ରରୁ ଖବର ପାଇ ବିରିଡି ଥାନାଧିକାରୀ ପାରାଓ ଟୁଡୁଙ୍କ ନିର୍ଦ୍ଦେଶରେ ଏସଆଇ ଜୀବନ ଲାକ୍ରାଙ୍କ ନେତୃତ୍ୱରେ ଏଏସଆଇ ରମେଶ ଚନ୍ଦ୍ର ରାଉତ ଓ ଅନ୍ୟମାନଙ୍କୁ ନେଇ ଗଠିତ ଟିମ୍ ଏକ ଅଜଣା ସ୍ଥାନରେ ଚଢ଼ଉ କରି ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଆସାମୀ ବାଗଲପୁର ଗ୍ରାମର ମୁନା ଭୋଇ (୨୬) ଓ ବାରେଡିଆ ଗ୍ରାମର ପ୍ରକାଶ ସାମଲ (୨୮)ଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଚୋରି ଯାଇଥିବା ସୁନା ମୁଦି, ଏଲସିଡି ଟିଭି ଜବତ କରିଛି। ଏହା ସହ ସେମାନେ ବ୍ୟବହାର କରୁଥିବା ଏକ ଚୋରା ପ୍ଲାଟିନା ବାଇକକୁ ପୋଲିସ ଜବତ କରିଥିବା ଥାନାଧିକାରୀ ପାରାଓ ଟୁଡୁ ସୁଚନା ଦେଇଛନ୍ତି।