ସ୍ୱାମୀର ଦ୍ୱିତୀୟ ବିବାହ : ବିବାହସ୍ଥଳରେ ପ୍ରଥମ ସ୍ତ୍ରୀକୁ ମାଡ , ଶ୍ୱଶୁର, ଦେଢଶୁର କୋର୍ଟ ଚାଲାଣ, ସ୍ୱାମୀ ଫେରାର

ପାଣିକୋଇଲି, ଏନ୍ଏନ୍ଏସ୍ : ସ୍ତ୍ରୀର ଅନୁପସ୍ଥିତିରେ ସ୍ୱାମୀର ଦ୍ୱିତୀୟ ବିବାହ ବେଳେ ସେଠାରେ ପ୍ରଥମ ସ୍ତ୍ରୀ ବିରୋଧ କରିବାରୁ ତାକୁ ମାଡ ମାରିବା ଅଭିଯୋଗରେ କୋରାଇ ପୁଲିସ ପାଣିକୋଇଲି ଗ୍ରାମର ଲାଲ ଖାଁ ଓ ତାଙ୍କ ବଡପୁଅ ମୁଜବିର ଖାଁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସ୍ୱାମୀ ଫେରାର ଅଛି ।

ସୂଚନା ଅନୁଯାୟୀ, ମଙ୍ଗଳପୁର ଥାନା ଅନ୍ତର୍ଗତ ମେରଡା କାଟିଆ ଛକର ସେକ ଆଜିମୁଦ୍ଦିନ ଙ୍କ ଝିଅ ସାବିନା ବିବି(୨୫) ପାଣିକୋଇଲି ଗ୍ରାମର ଲାଲ ଖାନଙ୍କ ପୁଅ ଇମ୍ରାନ ଇମାମ ଖାନକୁ ଗତ ୨୦୧୭ମସିହା ପେୃଆରୀ ୧୧ ତାରିଖ ମୁସଲିମ ରିତୀ ନିତୀରେ ବିବାହ କରିଥିଲା । ସ୍ୱାମୀ ସ୍ତ୍ରୀ ଓ ତାଙ୍କ ପରିବାର ମଧ୍ୟରେ ଭଲ ସର୍ମ୍ପକ ମଧ୍ୟ ଥିଲା । ହେଲେ ୨ମାସ ପରେ ଇମ୍ରାନ ତାର କର୍ମସ୍ଥଳୀ ସାଉଦି ଆରବ ଯାଇଥିଲେ । ସେତେବେଳକୁ ସାବିନା ୨ ମାସର ଗର୍ଭବତୀ ଥିଲେ । ହେଲେ ସ୍ୱାମୀ ବିଦେଶ ଯିବାର କିଛି ଦିନ ପରେ ଅଧିକ ଯୌତୁକ ଦାବିରେ ପରିବାରର ଶ୍ୱଶୁର, ଶାଶୂ, ଦିଅର ଓ ନଣନ୍ଦ ମିଶି ତାଙ୍କୁ ଅଧିକ ଯୌତୁକ ଦାବିରେ ମାନସିକ ଓ ଶାରୀରିକ ନିର୍ଯ୍ୟାତନ ଦେବା ଆରମ୍ଭ କଲେ ।

ନିର୍ଯ୍ୟାତନ ବଢି ଚାଲିବାରୁ ଓ ଜୀବନ ପ୍ରତି ବିପଦ ଥିବାରୁ ସାବିନା ୨୦୧୭ ଜୁଲାଇ ୧୨ ତାରିଖ ବାପଘରକୁ ପଳାଇଯାଇଥିଲେ । ପରେ ସ୍ୱାମୀ ବିଦେଶରୁ ଘରକୁ ଫେରି ସାବିନା ସହ କୌଣସି ସର୍ମ୍ପକ ରଖି ନଥିଲା କି ସ୍ତ୍ରୀ ପାଖକୁ ଯାଇ କୌଣସି କଥା ବୁଝି ନଥିଲା । ସାବିନା ଯେତେ ସର୍ମ୍ପକ ଯୋଡିବାକୁ ଚେଷ୍ଟା କଲେ ମଧ୍ୟ ତାହା ବିଫଳ ହୋଇଥିଲା । କୌଣସି ଥଇଥାନ ବ୍ୟବସ୍ଥା ନହେବାରୁ ସେ ବାଧ୍ୟ ହୋଇ ମଙ୍ଗଳପୁର ଥାନାରେ ୨୦୧୯ ଜୁନ ୧୧ତାରିଖ ଏକ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ହାତବାନ୍ଧି ବସିଥିଲା ।

ଏପଟେ ଇମ୍ରାନର ଦ୍ୱିତୀୟ ବିବାହ କୋରାଇ ଥାନା ଅନ୍ତର୍ଗତ ମାଲଦା ଠାରେ ହେଉଥିବା ଖବର ପାଇଁ ସାବିନା ବିବି ସର୍ମ୍ପକୀୟଙ୍କ ସହ ସେଠାରେ ପହଂଚି ସ୍ୱାମୀର ଦ୍ୱିତୀୟ ବିବାହକୁ ବିରୋଧ କରିଥିଲା । ହେଲେ ବିବାହ ବନ୍ଦ କରିବା ତ ଦୂରର କଥା ଇମ୍ରାନର ପରିବାର ପକ୍ଷରୁ ତାଙ୍କୁ ମାଡ଼ ମରାଯାଇ ଘଟଣାସ୍ଥଳରୁ ବିଦା କରିଦିଆଗଲା । ଏନେଇ ସାବିନାର ଭାଇ ସେକ ସନି କୋରାଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଶ୍ୱଶୁର ଓ ଦେଢ଼ଶୁରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଜଣାପଡ଼ିଛି ।