ମଦୁଆ ସ୍ୱାମୀ ମାନଙ୍କର କଳାକାରନାମା : ସ୍ତ୍ରୀ ମାନଙ୍କୁ ପିଟିପିଟି ଲହୁଲୁହାଣ , ୨ ଅଭିଯୁକ୍ତ ଗିରଫ

ନୀଳଗିରି,ଏନ୍ଏନ୍ଏସ୍ : ଅତ୍ୟଧିକ ମଦ୍ୟପାନ କରି କୌଣସି କାରଣ ନଥାଇ ସ୍ତ୍ରୀମାନଙ୍କୁ ପିଟି ପିଟି ଲହୁଲୁହାଣ କରିବା ଘଟଣାରେ ନୀଳଗିରି ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ନୀଳଗିରି ଥାନା ଅଧିନସ୍ଥ ସୀତାପତିପୁର ଗ୍ରାମର ରବିନ୍ଦ୍ର ବେହେରା ନିଜର ସ୍ତ୍ରୀ ମଙ୍ଗୁଳି ବେହେରାଙ୍କୁ ଅତ୍ୟଧିକ ମଦ୍ୟପାନ କରି ନିଶାଶକ୍ତ ଅବସ୍ଥାରେ କୌଣସି କାରଣ ନଥାଇ ପିଟାମରା କରୁଥିଲା । ଏପରିକି ଘର ଭିତରେ କବାଟ କିଳି ରିତିମତ ବାଡ଼େଇ ଥିଲା । ଫଳରେ ମଙ୍ଗୁଳିର ଆଖି , ଛାତି ଏବଂ ହାତରେ ଗଭିର ଆଘାତ ଲାଗିଥିଲା । ସ୍ତ୍ରୀର ଅଭିଯୋଗ ମୂଳେ ରବିନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏନେଇ ନୀଳଗିରି ଥାନାରେ ଏକ ମାମଲା ରୁଜୁ କରଯାଇଛି । ଅନୂରୂପ ଭାବେ ଉକ୍ତ ଥାନା ଅଧିନସ୍ଥ ବାଉଁଶବଣିଆ ଗ୍ରାମର ଶ୍ରୀକାନ୍ତ ମଲ୍ଲିକ ନିଜର ସ୍ତ୍ରୀ ଚନ୍ଦ୍ରରେଖା ମଲ୍ଲିକକୁ ମଦ୍ୟପାନ କରି ଅତ୍ୟଧିକ ପିଟାମରା କରିବା ଘଟଣାରେ ପୁଲିସ ଶ୍ରୀକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।