ରେଳ ଷ୍ଟେସନରୁ ଗଞ୍ଜେଇ ଜବତ, ୨ ଗିରଫ

ରାୟଗଡା,ଏନ୍ଏନ୍ଏସ୍: ରାୟଗଡା ରେଳ ଷ୍ଟେସନକୁ ୨୧କେଜି ୬୦୦ଗ୍ରାମ ଗଞ୍ଜେଇ ଜବତ ହେବା ସହ ରେଳବାଇ ପୁଲିସ ପକ୍ଷରୁ ୨ଜଣଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ଲକ୍ଷ ୧୦ହଜାର ଟଙ୍କା ହେବ ବୋଲି ରେଳବାଇ ପୁଲିସ ପ୍ରକାଶ କରିଛି। ଉକ୍ତ ଗଞ୍ଜେଇକୁ ମାଜିଷ୍ଟ୍ରେଟ ନିର୍ମଳ ଚନ୍ଦ୍ର ସାହୁଙ୍କୁ ଉପସ୍ଥିତିରେ ଜବତ କରାଯାଇଛି।

ରବିବାର ଅପରାହ୍ଣରେ ରେଳବାଇ ସୁରକ୍ଷା ବଳ ଆଇଆଇସି ଡିଏନ ତ୍ରିଲୋକ ଓ ଏସଆଇ ସରୋଜ କୁମାର ବାରିକ ଯାଞ୍ଚ କରିଥିଲେ। ଏହି ସମୟରେ ୧ନଂ ପ୍ଲାଟଫର୍ମରେ ସନ୍ଦେହଜନକ ଭାବେ ବୁଲୁଥିବା ୨ଯୁବକଙ୍କୁ ପୁଲିସ ପଚରାଉଚୁରା କରିଥିଲା। ସେମାନଙ୍କ ଠାରୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ପୁଲିସର ସନ୍ଦେହ ହୋଇଥିଲା। ଫଳର ପୁଲିସ ୨ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖିଥିଲା। ତଦନ୍ତ ସମୟରେ ସେମାନଙ୍କ ନିକଟରେ ୩ଟି ପ୍ୟାକେଟ ଗଞ୍ଜେଇ ଥିବା ଜଣାପଡିଥିଲା।

ଜବତ ଗଞ୍ଜେଇ କୋରାପଟୁ ଓ ସିମିଳିଗୁଡା ଅଞ୍ଚଳରୁ ଅଣାଯାଇ ରାଉରକେଲା ଚାଲାଣ ପାଇଁ ଗିରଫ ୨ଯୁବକ ଯୋଜନା କରୁଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୀମାଖାଲ ଗ୍ରାମର ଓ ଅନ୍ୟ ଜଣେ ମଧ୍ୟପ୍ରଦେଶ ରାଜ୍ୟ ନିବାରୀ ଜିଲ୍ଲାର ବୋଲି ଜଣାପଡିଛି। ଏ ନେଇ ପୁଲିସ ଧାରା ୨୦(ବି) ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି।