ବେହେରାପାଲିସ୍ଥିତ ଗ୍ୟାସ ପ୍ଲାଣ୍ଟରୁ ଚୋରୀ: ୨ ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବେହେରାପାଲି ଛକ ନିକଟରେ ଥିବା ଏମୋନିଆ ଗ୍ୟାସ ପ୍ଲାଣ୍ଟରୁ ବିଭିନ୍ନ ସାମଗ୍ରୀ ଚୋରୀ କରିଥିବା ୨ ଚୋରକୁ ବଡ଼ମାଲ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ପଣ୍ଡରିପଥର ଗ୍ରାମର ଟିମା ଛଛାନ ଓ ଲକ୍ଷ୍ମନ ଗର୍ଡ଼ଆ ବୋଲି ଜଣାପଡ଼ିଛି। ଟିମା ବିରୋଧରେ ପୂର୍ବରୁ ଅନେକ ମାମଲା ଥିବା ବଡ଼ମାଲ ଥାନାଧିକାରୀ ଅମିତାଭ ପଣ୍ଡା କହିଛନ୍ତି।

ସୂଚନାଯୋଗ୍ୟ, ଗତ ୨୬ ତାରିଖ ରାତିରେ ବେହେରାପାଲିସ୍ଥିତ ଗ୍ୟାସ ପ୍ଲାଣ୍ଟରୁ ଅଭିଯୁକ୍ତ ଦ୍ୱୟ ଏକ କମ୍ପ୍ୟୁଟର, କଟର ମେସିନ, ଡ୍ରିଲ ମେସିନ, ଇନଭରଟର ଓ ବ୍ୟାଟେରୀ ଆଦି ଚୋରି କରିଥିଲେ। ପ୍ଲାଣ୍ଟର ମ୍ୟାନେଜର ଭାଗରଥୀ ତ୍ରିପାଠୀ ଏହି ଚୋରି ସମ୍ପର୍କରେ ବଡ଼ମାଲ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କିଛିଦିନ ପୂର୍ବରୁ ଟିମା ସ୍ଥାନୀୟ ଅଂଚଳରେ ବୁଲୁଥିବା ପୁଲିସ ଖବର ପାଇ ତାକୁ ଅଟକ ରଖି ପଚରାଉଚୁରା କରିବା ପରେ ସେ ଓ ତା’ର ଜଣେ ସହଯୋଗୀ ଚୋରୀ କରିଥିବା ସ୍ୱୀକାର କରିଥିଲା। ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଚୋରୀ ସାମଗ୍ରୀକୁ ଉଦ୍ଧାର କରିଛି।