ସଡ଼କ ସଚେତନତାରେ ଖର୍ଚ୍ଚ ହେବ ୨.୬ କୋଟି

ନୂଆ ପରିବହନ ନିୟମ ପାଇଁ ସଚେତନତା ଉପରେ ସରକାରଙ୍କ ଗୁରୁତ୍ୱ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାସ୍ତା ଦୁର୍ଘଟଣା ହେଉଥିବା ଜନଜୀବନ ହାନି ଆମର ସାମାଜିକ, ଅର୍ଥନୈତିକ ବିକାଶକୁ ପ୍ରଭାବିତ କରୁଛି। ଏହା ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର ନୂଆ ପରିବହନ ନିୟମ ଦେଶରେ ଲାଗୁ କରିଛନ୍ତି। ଏହାକୁ କଡ଼ାକଡ଼ି ଭାବେ ଲଗୁ କରିବା ପାଇଁ ରାଜ୍ୟ ପରିବହନ ବିଭାଗ ପ୍ରୟାସ ଜାରି ରଖିଛି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ନିୟମ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସଚେତନତାର ଅଧିକ ଗୁରୁତ୍ୱ ରହିଛି।

ପରିବହନ ବିଭାଗ ସଚିବ ଜି. ଶ୍ରୀନିବାସନ ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ଏକ ଗାଇଡ୍ଲାଇନ ଜାରି କରିଛନ୍ତି। ଏନେଇ ପରିବହନ ସଚିବ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଗାଇଡ୍ଲାଇନ ଅନୁସାରେ ନୂଆ ପରିବହନ ନିୟମ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉପରେ ଗୁରୁତ୍ୱ ଦିଆଯିବ। ତିନୋଟି ଭାଗରେ ରାଜ୍ୟର ୩୫ଟି ପରିବହନ କାର୍ଯ୍ୟାଳୟକୁ ୩ଟି ଜୋନ୍ରେ ଭାଗ କରି ସଚେତନତା ପାଇଁ ଅର୍ଥ ପ୍ରଦାନ କରାଯିବ। ଗ୍ରୁପ-କ କାର୍ଯ୍ୟାଳୟଗୁଡ଼ିକୁ ୧୦ ଲକ୍ଷ, ଗ୍ରୁପ-ଖ କାର୍ଯ୍ୟାଳୟ ଗୁଡ଼ିକୁ ୭.୫ ଲକ୍ଷ ଏବଂ ଗ୍ରୁପ-ଗ କାର୍ଯ୍ୟାଳୟଗୁଡ଼ିକୁ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏହିଭଳି ମୋଟ ୨.୬୦ କୋଟି ଟଙ୍କା ବ୍ୟୟ କରାଯିବାର ଲକ୍ଷ୍ୟ ରଖାଯାଇଛି।

ପରିବହନ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି, ଓଡ଼ିଶାର ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ୫ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। ଗତ ଦଶନ୍ଧି ମଧ୍ୟରେ ଏହି ସଂଖ୍ୟା ୩୫ ହଜାରରେ ପହଞ୍ଚିଛି। ବିଶେଷତଃ ଯୁବକମାନେ ମୃତ୍ୟୁବରଣ କରୁଥିବାରୁ ସେମାନଙ୍କୁ ସଚେତନତାର ଆବଶ୍ୟକତା ରହିଛି। ତେଣୁ ଏହାକୁ ଅତ୍ୟନ୍ତ ଗୁରୁତର ସହିତ ନେଇ ସଡ଼କ ଦୁର୍ଘଟଣା ରୋକିବା ପାଇଁ ଯୋଜନାବଦ୍ଧ ଭାବେ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସଡ଼କ ସୁରକ୍ଷା ତଥା ଟ୍ରାଫିକ ସମ୍ପର୍କରେ ଜନସଚେତନତା ହିଁ ଦୁର୍ଘଟଣାକୁ ରୋକିପାରିବ। ତେଣୁ ସ୍କୁଲ, କଲେଜଠାରୁ ଆରମ୍ଭ କରି ରାସ୍ତାଗୁଡ଼ିକରେ ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ପରିବହନ ବିଭାଗ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଗାଡ଼ିର କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଆଦି ଯେପରି ଲୋକମାନେ ସୁବିଧାରେ ପାଇପାରିବେ, ତାକୁ ଦୃଷ୍ଟିରେ ରଖି ଆର୍ଟିଓ ଅଫିସଗୁଡ଼ିକରେ ଅଧିକ କାଉଣ୍ଟର୍ ଖୋଲାଯିବା ସହିତ ଗ୍ରାମାଞ୍ଚଳରେ ଶିବିର ଆୟୋଜନ କରାଯିବା ନେଇ ମଧ୍ୟ ପରିବହନ ସଚିବ ଚିଠିରେ ଗୁରୁତ୍ୱାରୋପ କରିଛନ୍ତି। ସେପଟେ ରାଜ୍ୟରେ ଥିବା ସମସ୍ତ ଆର୍ଟିଓ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବା ପାଇଁ ସମସ୍ତ ଜିଲ୍ଲାପାଳ, ଏସ୍ପି ଓ ଆର୍ଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି। ମୋଟରଯାନ ଆଇନ ଲାଗୁ ହେବା ପରେ ଲାଇସେନ୍ସ ହାସଲ କରିବା ପାଇଁ ରାଜ୍ୟର ସମସ୍ତ ପରିବହନ କାର୍ଯ୍ୟାଳୟରେ ଭୀଡ଼ ହେଉଛି। ଏହାର ଫାଇଦା ଉଠାଇ କିଛି ଦଲାଲ ଲୋକଙ୍କୁ ଲାଇସେନ୍ସ ଯୋଗାଇ ମାତ୍ରାଧିକ ଅର୍ଥ ହାସଲ କରୁଛନ୍ତି। ଏମାନଙ୍କ ଯୋଗୁଁ ସାଧାରଣ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପରିବହନ କାର୍ଯ୍ୟାଳୟକୁ ସ୍ୱଚ୍ଛ କରିବା ଲକ୍ଷ୍ୟରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଦଲାଙ୍କୁ ପରିବହନ କାର୍ଯ୍ୟାଳୟ ନିଷେଧ ନେଇ ଏକ ନୋଟିସ ଲଗାଯାଇଛି। ଦଲାଲମାନେ ଏହାର ଉଲଙ୍ଘନ କଲେ ସେମାନଙ୍କ ବିରୋଧରେ ସ୍ଥାନୀୟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଦଲାଲମାନଙ୍କୁ ପ୍ରଶ୍ରୟ ନ ଦେବା ପାଇଁ ଅଫିସରମାନଙ୍କୁ ମଧ୍ୟ ପରିବହନ କମିଶନର ତାଗିଦ୍ କରିଛନ୍ତି।