ଯୁରିଆରେ ପାଟଣାଗଡ଼ ଉପଖଣ୍ଡର ପ୍ରଥମ ରବି ଧାନ ମଣ୍ଡି ଉଦଘାଟିତ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଖପ୍ରାଖୋଲ ବ୍ଲକ୍ ଲୁହାସିଂହା ପ୍ରାଥମିକ କୃଷି ସମବାୟ ସମିତି ଯୁରିଆଠାରେ ରବି ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି । ପେକ୍ସ ସଭାପତି କନ୍ଦର୍ପ ସୁଆରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାଟଣାଗଡ଼ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ, ସମ୍ମାନିତ ଅତିଥିରୂପେ ପାଟଣାଗଡ଼ ସମବାୟ ସହ ନିବନ୍ଧକ ଭିକାରି ଚରଣ ସେଠୀ, ଆରଏମସି ସମ୍ପାଦକ କ୍ଷମାନିଧି ଗଡ଼ତ୍ୟା ଓ ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ପୂଜାପାଠ ପରେ ନଡ଼ିଆ ଭାଙ୍ଗି ମୁଖ୍ୟଅତିଥି ମଣ୍ଡି ଉଦଘାଟନ କରିଥିଲେ । ରବି ଧାନ କରିଥିବା ପଞ୍ଜୀକୃତ ଚାଷୀ କିଭଳି ଠିକ୍ ଭାବରେ ଧାନ ବିକ୍ରି କରିପାରିବେ ଏବଂ ସରକାରୀ ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ ପାଇପାରିବେ ବୋଲି କହିଥିଲେ ।

ସୂଚନା ଅନୁସାରେ ଯୁରିଆ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ୩୧ଜଣ ଚାଷୀ ପଞ୍ଜିକରଣ କରିଥିବାବେଳେ ୨,୫୮୦ କ୍ୟୁଇଣ୍ଟାଲ ଧାନ ବିକ୍ରି ହେବ । ପ୍ରଥମ ପର୍ଯ୍ୟାୟରେ ୧,୨୨୧ କ୍ୟୁଇଣ୍ଟାଲ ଧାନ ବିକ୍ରି ଟାର୍ଗେଟ ଆସିଥିବା ଜଣାଯାଇଛି । ପ୍ରଥମ ଦିନ ଚାଷୀ ଜୟପ୍ରକାଶ ପଟେଲଙ୍କ ୩୫ କ୍ୟୁଇଣ୍ଟାଲ ଧାନ ବିକ୍ରି ହୋଇଥିଲା । ଏହି ଅବସରରେ ସମବାୟ ନୀରିକ୍ଷକ ଟଙ୍କଧର ନାୟକ, ରାଜକିଶୋର ମେହେର, ଅକ୍ଷୟ ପଟେଲ, ସାନନ୍ଦ ଯୋଶୀ ଓ ବିକାଶ ମେହେର ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ । ବ୍ଲକର ଖପ୍ରାଖୋଲ, ଧଣ୍ଡାମୁଣ୍ଡା ଓ ଲାଠୋର ପ୍ୟାକ୍ସରେ ଧାନ ମଣ୍ଡି ଖୋଲିବ ବୋଲି ଜଣାପଡ଼ିଛି ।