ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ରିଆମାଳରେ କାଲି ମତଦାନ 

ଦେବଗଡ଼,ଏନ୍‌ଏନ୍‌ଏସ୍‌: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରିଆମାଳ ବ୍ଲକ ମୁଖ୍ୟାଳୟରୁ ମତଦାନ କେନ୍ଦ୍ରକୁ ପୁଲିଙ୍ଗ ପାର୍ଟିଙ୍କୁ ପଠାଯାଇଛି । ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବାବେଳେ ରିଆମାଳ ବ୍ଲକର ୨ଟି ଜିଲ୍ଲା ପରିଷଦ ଆସନ ଓ ୨୬ଟି ଲେଖାଏଁ ସରପଞ୍ଚ ଓ ସମିତି ସଦସ୍ୟ ଏବଂ ୩୧୨ ୱାର୍ଡ ପାଇଁ ମତଦାନ ହେବ । ଏହି ମତଦାନରେ ୮୨ ହଜାର ୯୬୭ ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନର୍ଦ୍ଧାରଣ କରିବାକୁ ଥିବାବେଳେ ୪୦ ହଜାର ୯୫୬ ମହିଳା ଓ ୪୨ ହଜାର ୧୧ ପୁରୁଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ୨୬ଟି ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ୮୭ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ୨ଜଣ ପ୍ରାର୍ଥୀ ନିର୍ଦନ୍ଦ୍ୱରେ ନିର୍ବାଚିତ ହୋଇଥିବାରୁ ୨୪ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ହେବ । ୨୬ ସମିତି ପାଇଁ ୮୦ଜଣ ପ୍ରାର୍ଥୀ ଓ ୨ ଜିଲ୍ଲା ପରିଷଦ ଆସନ ପାଇଁ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ସେହିପରି ୩୪୩ ୱାର୍ଡ ମେମ୍ବର ପଦବୀରେ ୧୩୯ ନିର୍ଦନ୍ଦ୍ୱରେ ନିର୍ବାଚିତ ହୋଇ ସାରିଥିବା ବେଳେ ଅବଶିଷ୍ଟ ୧୭୩ ୱାର୍ଡ ପାଇଁ ୪୦୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ଜଣାପଡ଼ିଛି । ମହିଳା ଭୋଟରଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ମତଦାନ ପ୍ରକୋଷ୍ଠ ବ୍ୟବସ୍ଥା କରାଯାଇ ଥିବାବେଳେ ଭିନ୍ନକ୍ଷମ ଓ ବୃଦ୍ଧ ବୃଦ୍ଧା ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି । ଦେବଗଡ଼ ଜିଲ୍ଲାର ମୋଟ ୮୩୬ଟି ମତଦାନ କେନ୍ଦ୍ର ମଧ୍ୟରୁ ୧୨୪ଟି ସମ୍ବେଦନଶୀଳ ରହିଥିବା ଜଣାପଡ଼ିଛି । ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ ରିଆମାଳ ବ୍ଲକର ୩୧୨ଟି ମତଦାନ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ବ୍ଲକରେ ୪୭ଟି ସମ୍ବେଦନଶୀଳ ଓ ୩୫ଟି ଛାୟା ବୁଥ ରହିଛି । ଏସବୁ ଅଞ୍ଚଳରେ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସୀମାବର୍ତ୍ତୀ ଅଞ୍ଚଳରେ ପୁଲିସର ଯାଞ୍ଚକୁ ଜୋରଦାର ଏବଂ ସମସ୍ତ ଥାନାଞ୍ଚଳରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଉଥିବା ଏସପି ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି ।