ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ

ନୂଆଦିଲ୍ଲୀ: ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ ଘଟିଛି। ମେ’ ୯ ତାରିଖରେ ହୃଦଘାତ ହେବା ଯୋଗୁ ତାଙ୍କୁ ରାୟଗଡ଼ର ଶ୍ରୀ ନାରାୟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୭୪ ବର୍ଷୀୟ ଅଜିତଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ସକାଳେ ଦୁଇ ଥର ହୃଦଘାତ ହେବାରୁ ତାଙ୍କ ମୃତ୍ୟୁ ଘଟିଛି। ଏନେଇ ଟ୍ୱିଟରେ ଯୋଗେ ସୂଚନା ପ୍ରଦାନ କରିଛନ୍ତି ତାଙ୍କ ପୁଅ ଅମିତ ଯୋଗୀ। ଆସନ୍ତାକାଲି ଜନ୍ମଭୂମି ଗୌରେଲାରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଶ୍ରମିକଙ୍କ ସମସ୍ୟା ନେଇ ଏକ ଟ୍ୱିଟ କରିଥିଲେ। ଯେଉଁଥିରେ ବିଦେଶରେ ଫସି ରହିଥିବା ପ୍ରବାସୀଙ୍କୁ ଆଣିବା ପାଇଁ ଯେପରି ବନ୍ଦେ ଭାରତ ମିଶନ କାର୍ଯ୍ୟକାରୀ କରାଯାଇଛି ସେହିପରି ପ୍ରବାସୀ ଶ୍ରମିକଙ୍କୁ ଘରେ ପହଂଚାଇବା ପାଇଁ ଏକ ଅଭିଯାନ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ।

 ଛତିଶଗଡ଼ ବିଭାଜନ ପରେ ୨୦୦୦ ନଭେମ୍ବରରୁ ୨୦୦୩ ନଭେମ୍ବର ପର୍ଯ୍ୟନ୍ତ ଅଜିତ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଥିଲେ। ୨୦୧୬ରେ କଂଗ୍ରେସ ଛାଡ଼ି ଜନତା କଂଗ୍ରେସ ଛତିଶଗଡ଼ ନାମକ ନିଜର ଏକ ପାର୍ଟି ସ୍ଥାପନା କରିଥିଲେ।