୧୯୯୯ ଭାରତ ଗସ୍ତ ସ୍ୱତନ୍ତ୍ର : ଆକ୍ରାମ୍

ଇସଲାମାବାଦ,ଏଜେନ୍ସି: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ପ୍ରମୁଖ ପେସର୍ ୱାସିମ୍ ଆକ୍ରାମ୍ ଗତ ୧୯୯୯ ମସିହାରେ ପାକିସ୍ତାନ ଦଳର ଭାରତ ଗସ୍ତକୁ ସ୍ୱତନ୍ତ୍ର ବୋଲି କହିଛନ୍ତି। ଉକ୍ତ ଗସ୍ତରେ ପାକିସ୍ତାନ ଦଳର ନେତୃତ୍ୱ ନେଉଥିବା ଆକ୍ରାମ୍ ଏହାକୁ ତାଙ୍କ କ୍ରିକେଟର୍ ଜୀବନର ଏକ ଅଭୁଲା ସ୍ମୃତି ବୋଲି କହିଛନ୍ତି। ୫୪ ବର୍ଷୀୟ ଆକ୍ରାମ୍ ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍ ଶେନ୍ ୱାଟସନଙ୍କ ସହ ଏକ କାର୍ଯ୍ୟକ୍ରମରେ ଆଲୋଚନା ବେଳେ କହିଛନ୍ତି ଯେ ପାଖାପାଖି ୧୦ ବର୍ଷ ପରେ ଭାରତ ବିପକ୍ଷରେ ଆମେ ଖେଳିବାର ଅନୁଭୂତି ପାଇଥିଲୁ।

ଚେନ୍ନାଇରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟରେ ମୁଁ ଖେଳାଳିମାନଙ୍କୁ କହିଥିଲି ଯେ ଯଦି ଷ୍ଟାଡିୟମରେ କିଛି ହୋହଲ୍ଲା ହେଉନାହିଁ, ତା’ହେଲେ ଆମେ ଭଲ ଖେଳୁଥିବାର ପ୍ରମାଣ ମିଳିବ। ଉକ୍ତ ମ୍ୟାଚରେ ଆମେ ଭଲ ପ୍ରଦର୍ଶନ କରିଥିଲୁ ଓ ଶେଷରେ ଆମକୁ ବିଜୟ ମଧ୍ୟ ମିଳିଥିଲା। ଏଥିସହ ପ୍ରଥମ ଥର ପାଇଁ ଭାରତରେ ପାକିସ୍ତାନ ଖେଳାଳିଙ୍କ ବିଜୟକୁ ଦର୍ଶକ ଗ୍ରହଣ କରିବା ସହ ଚେନ୍ନାଇ ଦର୍ଶକ ଛିଡ଼ା ହୋଇ ତାଳି ମାରି ସେମାନଙ୍କୁ ବଧେଇ ଜଣାଇଥିଲେ।

ଏହା ନିଶ୍ଚିତ ଭାବେ ଆମ ପାଇଁ ଅବିଶ୍ୱସନୀୟ ଥିଲା। ତେଣୁ ଏହି ସିରିଜର ଅନୁଭୂତିକୁ ଭୁଲିବା ଆଦୌ ସହଜ ନୁହେଁ ବୋଲି ଆକ୍ରାମ୍ କହିଛନ୍ତି। ଅନ୍ତର୍ଜାତୀୟ କ୍ୟାରିୟରରେ ୧୦୪ଟି ଟେଷ୍ଟ୍ ଓ ୩୫୬ଟି ଦିନିକିଆ ଖେଳିଥିବା ଆକ୍ରାମ୍ କହିଛନ୍ତି ଯେ କୌଣସି ବି ପାକିସ୍ତାନୀ ଖେଳାଳିଙ୍କ ସକାଶେ ଭାରତ ବିପକ୍ଷ ପ୍ରଦର୍ଶନ ସବୁବେଳେ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଆସିଛି। ଭାରତ ବିପକ୍ଷରେ ଭଲ ଖେଳିଲେ, କେହି ବି ପାକିସ୍ତାନୀ ଖେଳାଳି ନିଜ ଦେଶରେ ବେଶ୍ ଖ୍ୟାତି ଅର୍ଜନ କରିପାରିଥାନ୍ତି।