ଗୋଟେ ହଷ୍ଟେଲରୁ ଏକାଥରକେ ୧୯୦ କରୋନା ସଂକ୍ରମିତ ଚିହ୍ନଟ

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ୱାଶିମ୍ ଜିଲ୍ଲାରୁ ୩୧୮ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ ଉକ୍ତ ଜିଲ୍ଲା ରିସୋଦ ତହସିଲର ଦେଗାଓଁର ଏକ ସ୍କୁଲ ହଷ୍ଟେଲରୁ ୧୯୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏକାଥରକେ ଗୋଟେ ସ୍ଥାନରୁ ଏତେ ମାତ୍ରାରେ ସଂକ୍ରମିତ ଚିହ୍ନଟ ହେବା ପରେ ସାଧାରଣରେ ଆତଙ୍କ ଖେଳିଯାଇଛି।

ଯେଉଁଠାରେ କରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନ କଠିନ ପରିଶ୍ରମ କରୁଛି, ଏହା ଏକ ଚିନ୍ତାର ବିଷୟ ଯେ ଏତେ ସଂଖ୍ୟକ ରୋଗୀ ଗୋଟିଏ ସ୍ଥାନରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ୱାଶିମ୍ ଜିଲ୍ଲା ମାଜିଷ୍ଟ୍ରେଟ୍ ଏସ୍ ଶାନମୁଗରାଜନ୍ ହଷ୍ଟେଲ ସ୍ଥିତିର ସମୀକ୍ଷା କରିଛନ୍ତି। ରିସୋଦ ତହସିଲର ଦେଗାଓଁର ବାସିନ୍ଦା ଆଶ୍ରମ ବିଦ୍ୟାଳୟରେ ଛାତ୍ରମାନେ ପାଠ ପଢ଼ିବା ବ୍ୟତୀତ ହଷ୍ଟେଲରେ ରୁହନ୍ତି।

ଜାଣିବାକୁ ମିଳିଛି ଯେ ଏହି ସମସ୍ତ ଛାତ୍ର ଅମରାବତୀ ଜିଲ୍ଲାର ବିଭିନ୍ନ ଅଞ୍ଚଳର। ହଷ୍ଟେଲରୁ କରୋନା ସଂକ୍ରମିତ ହୋଇଥିବା ୧୯୦ ଜଣଙ୍କ ମଧ୍ୟରେ ୪ ଜଣ ଶିକ୍ଷକ ଓ ବାକି ଛାତ୍ର ଅଛନ୍ତି।

ସୂଚନା ଅନୁସାରେ ଅମରାବତୀରେ ଏକ ସପ୍ତାହ ହେଲା ଲକଡାଉନ୍ ଲାଗୁ କରାଯାଇଛି। ଏଥି ସହ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ସୀମାବର୍ତ୍ତୀ ଜିଲ୍ଲା ବାଲାଘାଟରେ ରାତ୍ରି କର୍ଫ୍ୟୁ ଘୋଷଣା କରାଯାଇଛି। ସକାଳ ୧୦ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ସାମାଜିକ ଦୂରତାକୁ ଅନୁସରଣ କରିବା ଏବଂ ମାସ୍କ ପିନ୍ଧିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ ଲୋକଙ୍କୁ କହିଛନ୍ତି। ସାର୍ବଜନୀନ କାର୍ଯ୍ୟକ୍ରମ ଇତ୍ୟାଦି ପାଇଁ ପ୍ରଶାସନର ଅନୁମୋଦନ ବାଧ୍ୟତାମୂଳକ କରାଯାଇଛି।