ଭୁବନେଶ୍ୱରରୁ ୧୯ କରୋନା ପଜିଟିଭ ଚିହ୍ନଟ: ୨୩ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ଆଜି ୧୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୯ଜଣ କ୍ୱାରେଣ୍ଟାଇନରୁ, ୮ଜଣ ସ୍ଥାନୀୟ ଓ ୨ଜଣ କୋଭିଡ ଯୋଦ୍ଧା ରହିଛନ୍ତି। ଏଥିସହିତ ୨୩ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନୂଆଗାଁରୁ ୨, ୨ଟି ଘରୋଇ ହସ୍ପିଟାଲର ୪ଜଣ କର୍ମଚାରୀ, ସରକାରୀ ହସ୍ପିଟାଲର ଜଣେ ମହିଳା କର୍ମଚାରୀ, ପାହଳ ଓ ବରମୁଣ୍ଡାରୁ ଜଣେ ଲେଖାଏଁ ରହିଛନ୍ତି।

ଅନ୍ୟପଟେ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ବଡ଼ଗଡ଼, ଭରତପୁର, ସମ୍ ହସ୍ପିଟାଲ ନିକଟସ୍ଥ ଘାଟିକିଆ, ୟୁନିଟ-ଭି, ସିଇଟି କଲେଜ ନିକଟସ୍ଥ ଘାଟିକିଆ, ଝାରପଡ଼ା, ସୁନ୍ଦରପଦା ଓ ପଳାସପଲ୍ଲୀରୁ ଜଣେ ଲେଖାଏଁ ରହିଛନ୍ତି। ଏଥିସହିତ କଳ୍ପନା ଛକରେ ଥିବା ଏକ ଅଫିସର ୨ଜଣ ସରକାରୀ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି।

ଆଜି ସୁସ୍ଥ ହୋଇଥିବା ୨୩ଜଣଙ୍କ ମଧ୍ୟରେ ଭିଏସ୍ଏସ୍ ନଗର, ପୁରୁଣା ଭୁବନେଶ୍ୱର, ୟୁନିଟ-୮ ଡେଲଟା, ୟୁନିଟ-୬, ଏକାମ୍ରକାନନ, ସାମନ୍ତରାପୁର, ବିଡିଏ କଲୋନୀ, ଓ ଏୟାରପୋର୍ଟ କଲୋନୀରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି ଏକ ଘରୋଇ ହସ୍ପିଟାଲର ୬ଜଣ କର୍ମଚାରୀ, ସିରିପୁର ଲକ୍ଷ୍ମୀବଜାର ବସ୍ତିରୁ ୪ଜଣ ଓ ମଞ୍ଚେଶ୍ୱରରୁ ୫ଜଣ ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩ ହୋଇଥିବାବେଳେ ୨୭୦ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୬ଜଣଙ୍କର ମୃତ୍ୟୁ ଘଟିଛି ଓ ୧୫୬ ଜଣ ଚିକିତ୍ସିତ ହେଉଛନ୍ତି।