ସଙ୍ଗରୋଧ କେନ୍ଦ୍ରରୁ ୧୯ ଜଣ ଫେରାର

ରାୟଗଡା,ଏନ୍ଏନ୍ଏସ୍ : କଲ୍ୟାଣ ବିଭାଗ ଦ୍ୱାରା କେରେଡା ଠାରେ ପରିଚାଳିତ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରୁ ଫେରାର ହୋଇଯାଇଛନ୍ତି ୧୯ ଜଣ। ଏପରି ଏକ ଅଭାବନୀୟ ଘଟଣାଟି ଘଟିଛି ଓଡିଶା – ଆନ୍ଧ୍ର ସୀମାନ୍ତ କେରେଡା ଠାରେ। କେରେଡା ହାଇସ୍କୁଲରେ କରାଯାଇଥିବା ସଙ୍ଗରୋଧ କେନ୍ଦ୍ରରୁ ୧୯ ଜଣ ରହୁଥିବା କୋଠରୀର ଝରକା ତାଡି କେଉଁ ଆଡେ ଚାଲିଯାଇଛନ୍ତି । ଫେରାର ହୋଇଥିବା ବ୍ୟକ୍ତିମାନେ ୧୭ ଜଣ ପଞ୍ଜାବ ରାଜ୍ୟର ହୋଇଥିବା ବେଳେ ୨ ଜଣ ଉତ୍ତରପ୍ରଦେଶର ବୋଲି ଜଣାପଡିଛି।

ସାରା ଦେଶରେ ଲକ ଡାଉନ ଘୋଷଣା ପରେ ମାର୍ଚ୍ଚ ୩୦ ତାରିଖ ଦିନ ଓଡ଼ିଶା ଅଭିମୁଖେ ଆସୁଥିବା ୧୯ଜଣଙ୍କୁ ଓଡ଼ିଶା -ଆନ୍ଧ୍ର ସୀମାନ୍ତ ସ୍ଥିତ କେରେଡା ହାଇସ୍କୁଲ ଠାରେ ପ୍ରଶାସନ ତରଫରୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ସେଠାରେ ସ୍ଥାନୀୟ ପୋଲିସ ସହ ସିଆରପିଏଫ ଯବାନମାନଙ୍କ ମଧ୍ୟ ମୁତୟନ କରାଯାଇଥିଲା।

ସଙ୍ଗରୋଧ କେନ୍ଦ୍ର୍ରର ତଦାରଖ କରିବା ପାଇଁ ବ୍ଲକ ଏବଂ ପଂଚାୟତ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଥିଲା। ତେବେ ଗତକାଲି ବିଳମ୍ବିତ ରାତିରେ ୧୯ ଜଣ ଏକତ୍ରିତ ହୋଇ ସଙ୍ଗରୋଧ କୋଠରୀର ଝରକା ତାଡି କେଉଁ ଆଡେ ଫେରାର ହୋଇଯାଇଛନ୍ତି।

୧୯ ଜଣ ଫେରାର ହୋଇଯାଇଥିବା ଘଟଣା ପ୍ରଶାସନ ଜାଣିବା ପରେ ଘଟଣା ସ୍ଥଳରେ ଅଧିକାରୀମାନେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରଶାସନ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଉଥିଲେ ମଧ୍ୟ୧୯ ଜଣ ବ୍ୟକ୍ତି କିପରି ସଙ୍ଗରୋଧ କେନ୍ଦ୍ରରୁ ଫେରାର ହୋଇଗଲେ ତାହା ଏବଂ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପ୍ରିଲ ୧ ତାରିଖ ଦିନ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା କେରେଡା ସ୍ଥିତ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ। ସେତେବେଳେ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ଜିଲ୍ଲାପାଳ ନିଲମ୍ବନ ମଧ୍ୟ କରିଥିଲେ ।