ରାଜ୍ୟରୁ ୧୮୩ କରୋନା ପଜିଟିଭ ଚିହ୍ନଟ: ଜଣେ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୧୮୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୬ଜଣ ଓ ସ୍ଥାନୀୟ ସଂକ୍ରମଣ ୭୭ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୩ହଜାର ୩୧୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ସର୍ବାଧିକ ୨୦, ଖୋର୍ଦ୍ଧା ଓ ସମ୍ବଲପୁରରୁ ୧୯ ଲେଖାଏଁ, ସୁନ୍ଦରଗଡ଼ ଓ ନୂଆପଡ଼ାରୁ ୧୮ ଲେଖାଏଁ, ପୁରୀରୁ ୧୩, ଝାରସୁଗୁଡ଼ାରୁ ୧୧, ବରଗଡ଼ରୁ ୧୦, ମୟୁରଭଞ୍ଜରୁ ୮, କଟକ ଓ ଯାଜପୁରରୁ ୭ ଲେଖାଏଁ, ବାଲେଶ୍ୱରରୁ ୬ଜଣ ରହିଛନ୍ତି।

ଅନ୍ୟପଟେ କରୋନା ଯୋଗୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ଭୁବନେଶ୍ୱରର ୫୨ ବର୍ଷୀୟ ପୁରୁଷ। ସେ କରୋନା ବ୍ୟତୀତ ମଧୁମେହ, ଉଚ୍ଚ ରକ୍ତଚାପ ଓ କିଡନୀ ଜନିତ ସମସ୍ୟାରେ ପୀଡ଼ିତ ଥିଲେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଆଜିର ୧୮୩ ଜଣଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୩ହଜାର ୩୧୦ରେ ପହଞ୍ଚିଯାଇଛି। ସେଥିମଧ୍ୟରୁ ୩ଲକ୍ଷ ୨୯ହଜାର ୩୧୮ଜଣ ସୁସ୍ଥ ହୋଇଛନ୍ତି , ୧୯୦୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୦୩୯ ଜଣ ଚିକିତ୍ସିତ ହେଉଛନ୍ତି।