କାଉନସିଲ୍‌ର ଏବଂ ମେୟର ପଦ ପାଇଁ ନାମାଙ୍କନ ଭରିଲେ ୧୭୩ ଜଣ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ରାଜ୍ୟରେ ୧୦୬ଟି ପୌର ପରିଷଦ ଓ ଏନ୍‌ଏସି ଏବଂ ୩ ମହାନଗର ନିଗମ ପାଇଁ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏଥିପାଇଁ ୨ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏପରି ସ୍ଥଳେ ବିଭିନ୍ନ ରାଜନୈତିକ ଦଳରୁ ଟିକେଟ୍ ପାଇସାରିଥିବା ପ୍ରାର୍ଥୀ ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ ଆରମ୍ଭ କରିଛନ୍ତି।

ଆଜି ରାଜ୍ୟବ୍ୟାପୀ ୧୭୩ ଜଣ ପ୍ରାର୍ଥୀ କାଉନସିଲ୍‌ର/କର୍ପୋରେଟର ଏବଂ ଅଧ୍ୟକ୍ଷ/ମେୟର ପଦ ପାଇଁ ନାମାଙ୍କନ ଭରିଛନ୍ତି। କାଉନସିଲର ତଥା କର୍ପୋରେଟର ପଦଲାଗି ୧୪୫ ଜଣ ନାମାଙ୍କନ ଭରିଥିବା ବେଳେ ୨୮ ଜଣ ବିଭିନ୍ନ ପୌର ପରିଷଦ ଓ ଏନ୍‌ଏସିର ଅଧ୍ୟକ୍ଷ ତଥା ମହାନଗର ନିଗମର ମେୟର ପଦ ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୁତ୍ରରୁ ସୂଚନା ଦିଆଯାଇଛି। ଏଥର ନାମାଙ୍କନ ପତ୍ରରେ ଦୁଇଟି ସତ୍ୟପାଠ ଦେବା ବାଧ୍ୟତାମୂଳକ ରହିଛି।

ପ୍ରଥମଟିରେ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା ଓ ସମ୍ପତ୍ତି ତାଲିକା ଏବଂ ଦ୍ୱିତୀୟଟିରେ ଦୁଇରୁ ଅଧିକ ପିଲା ନଥିବା ଓ ସ୍ତ୍ରୀ ଜୀବିତ ଥିବାନେଇ ସତ୍ୟପାଠ କରିବାକୁ ହେବ। ମାର୍ଚ୍ଚ ୭ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବା ବେଳେ ୯ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବାସହ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ଶେଷ ତାରିଖ ରହିଛି ମାର୍ଚ୍ଚ ୧୪। ଏହାପରେ ୨୪ରେ ମତଦାନ ଅନୁଷ୍ଠିତ ହୋଇ ୨୬ରେ ଫଳ ବାହାରିବ। ଚଳିତ ଥର ସହରାଞ୍ଚଳର ଭୋଟରମାନେ କାଉନ୍‌ସିଲର ବା କର୍ପୋରେଟର ଏବଂ ପୌରାଧ୍ୟକ୍ଷ ବା ମେୟର ପଦପାଇଁ ପୃଥକ୍ ଭାବେ ମତଦାନ କରିବେ। ଏଥିପାଇଁ ଭୋଟକେନ୍ଦ୍ରରେ ଦୁଇଟି ଇଭିଏମ୍ ରହିବ। ଏଥିସହ ଚଳିତ ପୌର ନିର୍ବାଚନରେ ପ୍ରଥମ କରି ନୋଟା ବିକଳ୍ପ ଇଭିଏମ୍‌ରେ ସ୍ଥାନ ପାଇବ।