କରୋନା ହଟସ୍ପଟରେ ଭାରତର ୧୭୦ ଜିଲ୍ଲା

ନୂଆଦିଲ୍ଲୀ,ଏଜେନ୍ସି: ଦେଶର ୧୭୦ ଜିଲ୍ଲାକୁ କରୋନା ‘ହଟ୍‌ସ୍ପଟ୍‌’ ଭାବେ ଚିହ୍ନଟ କରାଯାଇଛି। ଏହି ଜିଲାଗୁଡ଼ିକରେ ସର୍ବାଧିକ କରୋନା ସଂକ୍ରମଣ ହୋଇଥିବାରୁ ସମ୍ପୃକ୍ତ ଅଞ୍ଚଳକୁ ‘କଣ୍ଟେନ୍‌ମେଣ୍ଟ’ ଘୋଷଣା ସହ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ମହାରାଷ୍ଟ୍ରର ୧୪, ଉତ୍ତରପ୍ରଦେଶର ୧୩, ରାଜସ୍ଥାନର ୧୨, ଆନ୍ଧ୍ରପ୍ରଦେଶର ୧୧, ଦିଲ୍ଲୀର ୧୦ ଓ ତାମିଲନାଡୁର ୨୨ ଜିଲ୍ଲା ହଟ୍‌ସ୍ପଟ୍‌ ତାଲିକାରେ ରହିଛି। ସେହିଭଳି ଦେଶର ୨୦୭ ଜିଲ୍ଲା ଅଣ-ହଟ୍‌ସ୍ପଟ୍‌ ଚିହ୍ନିତ ହୋଇଛି। ଏହି ଜିଲାଗୁଡ଼ିକରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲେ ମଧ୍ୟ ସଂକ୍ରମଣ ବ୍ୟାପୁ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସେହିପରି ହଟ୍‌ସ୍ପଟ୍‌ ଭାବେ ଚିହ୍ନିତ ଜିଲ୍ଲାଗୁଡ଼ିକ ରେଡ୍‌ ଜୋନ୍‌, ଅଣ-ହଟ୍‌ସ୍ପଟ୍‌ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ଜୋନ୍‌ ଓ ଅବଶିଷ୍ଟ ଜିଲ୍ଲାଗୁଡ଼ିକୁ ଗ୍ରୀନ୍‌ ଜୋନ୍‌ରେ ରଖାଯାଇଛି। ଗ୍ରୀନ୍‌ ଜୋନ୍‌ ଅଞ୍ଚଳରେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସି ନାହିଁ। କରୋନା ମୁକାବିଲା ପାଇଁ ସରକାର ସମଗ୍ର ଦେଶକୁ ଏଭଳି ତିନି ଜୋନ୍‌ରେ ବିଭକ୍ତ କରିଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ବୁଧବାର କ୍ୟାବିନେଟ ସଚିବ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦେଶକ, ସ୍ବାସ୍ଥ୍ୟ ସଚିବ, ଜିଲ୍ଲାପାଳ, ପୁଲିସ ଅଧୀକ୍ଷକ, ପୌର ନିଗମ କମିସନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀମାନଙ୍କ ସହ ଭିଡିଓ କନ୍‌ଫରେନ୍ସରେ ଆଲୋଚନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏହି ହଟସ୍ପଟ ଅଞ୍ଚଳମାନଙ୍କରେ ଓଡ଼ିଶାର ଭୁବନେଶ୍ୱର ଓ ଖୋର୍ଦ୍ଧା ସହର ରହିଥିବା ଜଣାପଡ଼ିଛି।