ରାଜଧାନୀରୁ ଆଉ ୧୭ ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୭

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଆଜି ରାଜଧାନୀରେ ଆଉ ୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୯କୁ ବୃଦ୍ଧିପାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ୧୭ଆକ୍ରାନ୍ତଙ୍କ ମଧ୍ୟରୁ ହୋମକ୍ୱାରେଣ୍ଟାଇନରୁ ୧୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୩ଜଣ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଚିହ୍ନଟ ହୋଇଥିବା ୧୭ଜଣଙ୍କ ମଧ୍ୟରୁ ୭ଜଣ ହେଉଛନ୍ତି ରେଲୱେ ଅଫିସର୍ ବୋଲି ଜଣାପଡ଼ିଛି। ସମସ୍ତେ ପୁରୁଷ, ତାଙ୍କର ବୟସ ଯଥା- ୩୬,୪୦,୩୧, ୪୦, ୩୫, ୩୬ ଓ ୩୬ ବର୍ଷ। ସମସ୍ତେ ନିକଟରେ ଦିଲ୍ଲୀରୁ ଫେରିଥିଲେ। ସେହିପରି ଭିମପୁରରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ୩୪ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୬୨ବର୍ଷୀୟ ମହିଳା ବୋଲି ଜଣାପଡ଼ିଛି। ସେ ନିକଟରେ ଦିଲ୍ଲୀରୁ ଫେରିଥିଲେ। ଡୁମଡୁମା ଏଚବି କଲୋନୀରୁ ଜଣେ ୨୫ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି। ସେ ନିକଟରେ ଦିଲ୍ଲୀରୁ ଫେରିଥିଲେ। ନୟାପଲ୍ଲୀ ଅଂଚଳରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ୨୦ବର୍ଷୀୟ ଯୁବତୀ ଓ ଅନ୍ୟ ଜଣେ ୧୫ବର୍ଷୀୟ ନାବଳକ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟ ଦିଲ୍ଲୀରୁ ଫେରିଥିଲେ। ସେହିପରି ଦିଲ୍ଲୀରୁ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଜଣେ ୨୪ବର୍ଷୀୟ ଯୁବତୀ ଚିହ୍ନଟ ହୋଇଛନ୍ତି।
ସ୍ଥାନୀୟ ମାମଲା ଯେଉଁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେଥିମଧ୍ୟରୁ, ଜଣେ ନହରକଣ୍ଟା ପୁରୀ କେନାଲ ରୋଡ୍ ନିକଟରୁ ୨୭ବର୍ଷୀୟ ଯୁବକ ଚିହ୍ନଟ ହୋଇଛନ୍ତି। ସେହିପରି ସେଣ୍ଟ୍ରାଲ ସରକାରୀ ଡାକ୍ତରଖାନା ଜଣେ ୩୨ବର୍ଷୀୟ ପୁରୁଷ କର୍ମଚାରୀ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜଣେ ଜୟଦେବ ବିହାର ସରଣପାଲି ନିକଟରୁ ଘରୋଇ ହସ୍ପିଟାଲ ଜଣେ ୩୭ବର୍ଷୀୟ ମହିଳା କର୍ମଚାରୀ ଚିହ୍ନଟ ହୋଇଛନ୍ତି।

ସେହିପରି ଭୁବନେଶ୍ୱର ପାଇଁ ଆଶ୍ୱସ୍ଥିର ଖବର ମଧ୍ୟ ଆସିଛି। ୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ବର୍ତ୍ତମାନ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୯କୁ ବୃଦ୍ଧିପାଇଛି। ସେଥିମଧ୍ୟରୁ ୩ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ୮୧ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟ ୬୪ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।