ଆମାଜନ୍-ଫ୍ଲିପକାର୍ଟ ବିରୋଧରେ ପିଟିସନ୍ ଦାୟର କଲେ ୧୬ ବର୍ଷର ଛାତ୍ର

ନୂଆଦିଲ୍ଲୀ: ନିକଟରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ବ୍ୟବହାରକୁ ବନ୍ଦ କରିବା ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିଥିଲେ। ମାତ୍ର ସରକାରଙ୍କ ଏହି ନିର୍ଦ୍ଦେଶକୁ ଅଣଦେଖା କରି ଅତ୍ୟଧିକ ପ୍ଲାଷ୍ଟିକ୍ ବ୍ୟବହାର କରୁଥିବା ଅଭିଯୋଗରେ ପ୍ରମୁଖ ଇ-ବାଣିଜ୍ୟ କମ୍ପାନୀ ଫ୍ଲିପକାର୍ଟ ଏବଂ ଆମାଜନ୍ ବିରୋଧରେ ଦିଲ୍ଲୀ ମଡର୍ଣ୍ଣ ସ୍କୁଲର ଏକାଦଶ ଶ୍ରେଣୀର ଜଣେ ଛାତ୍ର ପିଟିସନ୍ ଦାୟର କରିଛନ୍ତି। ଆଦିତ୍ୟ ଦୁବେ ନାମକ ଏହି ୧୬ ବର୍ଷର ଛାତ୍ର ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନଜିଟି)ରେ ଉପରୋକ୍ତ ଇ-ବାଣିଜ୍ୟ କମ୍ପାନୀଦ୍ୱୟ ବିରୋଧରେ ପିଟିସନ୍ ଦାୟର କରିଛନ୍ତି।

ତାଙ୍କ କହିବା ମୁତାବକ, ଏହି ଦୁଇ କମ୍ପାନୀ ସେମାନଙ୍କ ଡେଲିଭରୀ ସାମଗ୍ରୀରେ ଅହେତୁକ ପ୍ଲାଷ୍ଟିକ୍ର ଉପଯୋଗ କରୁଛନ୍ତି। ଉକ୍ତ ପିଟିସନ୍ରେ ଆହୁରି ମଧ୍ୟ ଲେଖାଯାଇଛି ଯେ, ଆମାଜନ୍ ଏବଂ ୱାଲମାର୍ଟ ନେତୃତ୍ୱାଧୀନ ଫ୍ଲିପକାର୍ଟ ଅତ୍ୟଧିକ ସଂଖ୍ୟକ କାର୍ଡବୋର୍ଡ୍ ବକ୍ସ ବ୍ୟବହାର କରିବା ସଙ୍ଗେସଙ୍ଗେ ପ୍ଲାଷ୍ଟିକ୍ ସିଟ୍ ଓ ପ୍ଲାଷ୍ଟିକ୍ ବବଲ୍ ରାପର ଅନେକ ପରସ୍ତକୁ ଏହାର ଡେଲିଭରୀ ସାମଗ୍ରୀରେ ବ୍ୟବହାର କରୁଛନ୍ତି।

ପିଟିସନକର୍ତ୍ତା ଯୁବ ପର୍ଯ୍ୟାବରଣ କାର୍ଯ୍ୟକର୍ତ୍ତା ଆଦିତ୍ୟ ଦୁବେ କହିଛନ୍ତି ଯେ, ଏହି ପିଟିସନଟି ଗତ ସପ୍ତାହରେ ଟ୍ରିବ୍ୟୁନାଲ୍ଙ୍କ ନିକଟରେ ଦାଖଲ କରାଯାଇଥିଲା ଏବଂ ଅତ୍ୟଧିକ ପ୍ଲାଷ୍ଟିକ୍ ବ୍ୟବହାରକୁ ବନ୍ଦ କରିବା ନେଇ ଉକ୍ତ କମ୍ପାନୀଦ୍ୱୟଙ୍କୁ ନିର୍ଦ୍ଦେଶ ଜାରି କରିବା ଲାଗି ମଧ୍ୟ କୁହାଯାଇଥିଲା।

ଯେତେବେଳେ ବି ଆମାଜନ୍ ଏବଂ ଫ୍ଲିପକାର୍ଟ ସେମାନଙ୍କ ସାମଗ୍ରୀ ଡେଲିଭରୀ କରନ୍ତି, ସାମଗ୍ରୀ ଟି ଅନବ୍ରେକେବୁଲ୍ ଶ୍ରେଣୀର ହୋଇଥିବା ସତ୍ତେ୍ୱ କମ୍ପାନୀଗୁଡ଼ିକ ଏହାକୁ ସାମଗ୍ରୀ ଠାରୁ ଦୁଇଗୁଣ ବଡ଼ କାର୍ଡବୋର୍ଡ ବକ୍ସରେ ଭର୍ତ୍ତି କରି ଗ୍ରାହକମାନଙ୍କୁ ଦିଅନ୍ତି। ଏହାଛଡ଼ା ତିନି ପରସ୍ତ କଭର୍ ସହିତ ବିଲ୍ କୁ ଭିନ୍ନ ଏକ ପ୍ଲାଷ୍ଟିକରେ ଦିଅନ୍ତି। ଏ ଦୃଷ୍ଟିରୁ ଏଥିରେ ବ୍ୟବହୃତ ପ୍ଲାଷ୍ଟିକର ପରିମାଣ ଅତ୍ୟଧିକ ବୋଲି ଆଦିତ୍ୟ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ କହିଛନ୍ତି।