ଛତିଶଗଡ଼ ଦାନ୍ତେୱାଡା ପୁଲିସକୁ ସଫଳତା: ଆତ୍ମସମର୍ପଣ କଲେ ୧୬ ମାଓବାଦୀ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ଛତିଶଗଡ ପୁଲିସକୁ ମିଳିଛି ବଡ ସଫଳତା। ୧୬ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ସୀମାନ୍ତରେ ଲାଲ ଦୁର୍ଗ ଭୁଶୁଡ଼ିଛି ବୋଲି କୁହାଯାଉଛି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ୩ ଜଣ କମାଣ୍ଡର ଥିବାବେଳେ ୪ ଜଣ ମହିଳା ଥିବା ଦାନ୍ତେଓ୍ବାଡା ଏସପି ସୂଚନା ଦେଇଛନ୍ତି। ଆତ୍ମ ସମର୍ପଣ କରିଥିବା ସମସ୍ତଙ୍କ ପାଇଁ ପୁରସ୍କାର ରାଶି ଘୋଷଣା ହୋଇଥିଲା।

ସେମାନଙ୍କ ବିରୋଧରେ ବିଭିନ୍ନ ଥାନାରେ ୫ରୁ ଅଧିକ ମାମଲା ରହିଛି। ରେଲଓ୍ୱେ ଟ୍ରାକକୁ ଉଡାଇବା, ପଞ୍ଚାୟତ ପ୍ରତିନିଧିଙ୍କୁ ହତ୍ୟା ଭଳି ସଙ୍ଗୀନ ମାମଲା ରହିଛି। ଆତ୍ମସମର୍ପଣ କରିଥିବା ୧୬ ନକ୍ସଲଙ୍କ ମଧ୍ୟରେ ୩ କମାଣ୍ଡର ସ୍ତରୀୟ ନକ୍ସଲ ରାଜେଶ ଭାଷ୍କର, ସହଦେବ ଓରଫ ସାଦେ ଓ ଭୀମା ତେଲାମ ଅଛନ୍ତି। ଅପରପକ୍ଷରେ ଚଳିତ ବର୍ଷ ବହୁ ପରିମାଣରେ ନକ୍ସଲ ଆତ୍ମ ସମର୍ପଣ କରିଛନ୍ତି।