ସଡ଼କ ଦୁର୍ଘଟଣାରେ ୧୬ ମୃତ

ଶାହାଜାହାନପୁର,୨୭ା୮: ଉତ୍ତର ପ୍ରଦେଶର ଶାହାଜାହାନପୁରରେ ଏକ ସଡ଼କ ଦୁର୍ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଆଜି ସକାଳୁ ଜମକା କ୍ରସିଂ ନିକଟରେ ଏକ ଦ୍ରୁତଗାମୀ ଟ୍ରକ୍‌ ଭାରସାମ୍ୟ ହରାଇ ଏକ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ରାସ୍ତାରୁ ଛିଟିକି ପଡ଼ିବା ପରେ ଟ୍ରକ୍‌ଟି ଆଉ ଗୋଟିଏ ଭ୍ୟାନ୍‌କୁ ଧକ୍କା ଦେଇଥିଲା। ଫଳରେ ଭ୍ୟାନଟି ନିକଟସ୍ଥ ଏକ ଘାଇକୁ ଖସି ପଡ଼ିଥିଲା। ସେହିପରି ଟ୍ରକ୍‌ଟି ମଧ୍ୟ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୧୬ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୩ ଜଣ ଶିଶୁ ରହିଛନ୍ତି। ଭ୍ୟାନ୍‌ରେ ଥିବା ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଶୋକପ୍ରକାଶ କରିବା ସହ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି।