୧୬ ଆଫଗାନ ଫେରନ୍ତା କୋଭିଡ ପଜିଟିଭ, ସଂସ୍ପର୍ଶରେ ଆସିଛନ୍ତି ପେଟ୍ରୋଲିଅମ ମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଗତକାଲି ଆଫଗାନିସ୍ତାନରୁ ଭାରତରେ ପହଞ୍ଚିଥିବା ୭୮ ଜଣଙ୍କ ମଧ୍ୟରୁ ୧୬ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୩ ଜଣ ଅଛନ୍ତି ଯେଉଁମାନେ କାବୁଲରୁ ଶିଖ ସମ୍ପ୍ରଦାୟର ପବିତ୍ର ଧର୍ମଗ୍ରନ୍ଥ ନେଇ ଭାରତକୁ ପ୍ରତ୍ୟାବର୍ତ୍ତନ କରୁଥିଲେ। ଅନ୍ୟପଟେ ଉକ୍ତ ପବିତ୍ର ଧର୍ମଗ୍ରନ୍ଥ ଗୁଡ଼ିକୁ ଦିଲ୍ଲୀ ବିମାନ ବନ୍ଦରରେ କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ହରଦୀପ ସିଂ ପହଞ୍ଚି ସେମାନଙ୍କ ଠାରୁ ଗ୍ରହଣ କରିଥିଲେ। ଯାହାଦ୍ୱାରା ସେ ମଧ୍ୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ।

ପ୍ରକାଶ ଥାଉକି, ଆଫଗାନିସ୍ତାନକୁ ତାଲିବାନ କବଜା ପରେ ନିଜ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଭାରତ ପ୍ରତିଦିନ ସ୍ୱତନ୍ତ୍ର ବିମାନ ଚଳାଚଳ କରୁଛି। ଅଗଷ୍ଟ ୨୩ ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏକ ଗାଇଡଲାଇନ ଅନୁଯାୟୀ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହି ଗାଇଡଲାଇନରେ ଆଫଗାନିସ୍ତାନରୁ ଭାରତ ଆସୁଥିବା ଲୋକମାନଙ୍କ ପାଇଁ ନଜାଫଗଡ଼ରେ ଥିବା ଚାୱଲା କ୍ୟାମ୍ପରେ ପହଞ୍ଚିବା ଦିନଠାରୁ ଅତି କମରେ ୧୪ ଦିନ ପର୍ଯ୍ୟନ୍ତ ଅନୁଷ୍ଠାନିକ ଭାବେ କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି।

ଏପର୍ଯ୍ୟନ୍ତ ୨୨୮ ଜଣ ଭାରତୀୟ ନାଗରିକଙ୍କ ସମେତ ଆଫଗାନିସ୍ତାନରୁ ସମୁଦାୟ ୬୨୬ ଜଣଙ୍କୁ ସ୍ଥାନାନ୍ତରଣ କରାଯାଇଥିବା କଥା କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ସ୍ଥାନାନ୍ତରିତ ଜନତାଙ୍କ ମଧ୍ୟରୁ ୭୭ ଜଣ ହେଉଛନ୍ତି ଆଫଗାନିସ୍ତାନ ଶିଖ୍। ସେଠାକାର ଭାରତୀୟ ଦୂତାବାସରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସ୍ଥାନାନ୍ତରଣ କରାଯାଇ ନାହିଁ। ଅନ୍ୟପଟେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଆଫଗାନିସ୍ତାନରୁ ଭାରତୀୟଙ୍କୁ ଜରୁରୀକାଳୀନ ସ୍ଥାନାନ୍ତର ପାଇଁ ସରକାର କାର୍ଯ୍ୟ କରୁଛନ୍ତି।