୧୫ କେଜି ଗଞ୍ଜେଇ ଜବତ, ୨ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ପୁଲିସ ସ୍ପେଶାଲ ସ୍କ୍ୱାର୍ଡ ଓ ରିଆମାଳ ଥାନା ପୁଲିସ ଆଜି ରିଆମାଳ ଥାନା ଅନ୍ତର୍ଗତ ଗୁଣ୍ଡିଆପାଲି ଗ୍ରାମରେ ମିଳିତ ଚଢ଼ଉ କରି ଗଞ୍ଜେଇ ଜବତ କରିଛି। ଆଉ ଏଥିରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଗୁଣ୍ଡିଆପାଲି ଗ୍ରାମରୁ ଜଣେ ବ୍ୟକ୍ତି ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି କରୁଥିବା ନେଇ ବିଶସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପରେ ଆଜି ଭୋର ପ୍ରାୟ ସାଢ଼େ ୪ଟା ସମୟରେ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଦେବଗଡ଼ ଜିଲ୍ଲା ପୁଲିସ ସ୍ପେଶାଲ ସ୍କ୍ୱାର୍ଡ ଅଫିସର ବୁଦ୍ଧରାୟ ମାଝୀ, ରିଆମାଳ ଥାନାଧିକାରୀ ଗୋପବନ୍ଧୁ ବେହେରା ଓ ଏସଆଇ ମାଗୁଣି ଚରଣ ଗଡ଼ନାୟକ ପ୍ରମୁଖ ସଦଳବଳେ ଗୁଣ୍ଡିଆପାଲି ଗ୍ରାମ ତଳ ସାହିର ପ୍ରଫୁଲ୍ଲ ଭୋଇଙ୍କ ଘର ସମ୍ମୁଖରେ ପହଞ୍ଚି ଯାଞ୍ଚ କରିବାରୁ ସେଠାରେ ଏକ ବସ୍ତାରେ ପ୍ରାୟ ୧୫କେଜି ଓଜନର ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିଥିଲେ। ପ୍ରଫୁଲ୍ଲ ଓ ସେହି ଗ୍ରାମର ଜଗବନ୍ଧୁ ବଣିଚୁଳ ଉକ୍ତ ଗଞ୍ଜେଇ ଭର୍ତ୍ତି ବସ୍ତାକୁ ନେବା ବେଳେ ପୁଲିସ ସେମାନଙ୍କୁ କାବୁ କରି ଗଞ୍ଜେଇ ସହ ଗିରଫ କରିଥିଲା। ପୂର୍ବାହ୍ନରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯିବାରୁ ୧୪କେଜି ୧୫ଗ୍ରାମ ହୋଇଥିବା ଜଣାପଡ଼ିଥିଲା। ଏନେଇ ରିଆମାଳ ଥାନା ପୁଲିସ ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।