ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କରୋନା ଆକ୍ରାନ୍ତ, ଜଣେ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ବେଶ ସୁଧାର ଆସିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୧୫୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ଭିତରେ ୮୯ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ଓ ୬୧ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟ କରି ସୂଚନା ଦେଇଛି। ସେହିପରି ରାଜ୍ୟରେ ଆଜି ଆଉ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ତେବେ ଆଜି ଚିହ୍ନଟ ହୋଇଥିବା ୧୫୦ ସଂକ୍ରମିତଙ୍କ ଭିତରେ ସୁନ୍ଦରଗଡ଼ରୁ ସର୍ବାଧିକ ୨୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ମୃତକ ଜଣଙ୍କ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲା ବୋଲି ଜଣାପଡ଼ିଛି।

ଏଥିସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୩୦୦ରେ ପହଞ୍ଚିଛି। ସେଥିରୁ ୩ ଲକ୍ଷ ୩୦ ହଜାର ୯୬୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧,୯୦୫ ଜଣଙ୍କ ମୃତ୍ୟୁ ହୋଇସାରିଛି। ସେହିପରି ରାଜ୍ୟରେ ଆଜି ୧,୩୮୦ ଜଣ ଚିକିତ୍ସାଧୀନ ଅଛନ୍ତି।