କରୋନା ଲଢେଇ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜରୁରୀକାଳୀନ ପାଣ୍ଠି ଘୋଷଣା

ନୂଆଦିଲ୍ଲୀ,ଏଜେନ୍ସି: କରୋନା ବିରୋଧରେ ଲଢେଇ କରୁଥିବା ଭାରତ ସରକାର ୧୫ ହଜାର କୋଟି ଟଙ୍କାର ଏକ କୋଭିଡ-୧୯ ଜରୁରୀକାଳିନ ପାଣ୍ଠି ଘୋଷଣା କରିଛନ୍ତି । ଏହା ହେଉଛି ୫ ବର୍ଷ ଅବଧିର ଏକ ଶତ ପ୍ରତିଶତ କେନ୍ଦ୍ରୀୟ ଯୋଜନା । ଜାତୀୟ ଓ ରାଜ୍ୟ ଓ ସ୍ତରରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ସୁଦୃଢ କରିବା ହେଉଛି ଏହି ପାଣ୍ଠିର ମୂଳ ଲକ୍ଷ୍ୟ । ଏହି ସ୍କିମର ନାମ ରଖାଯାଇଛି କୋଭିଡ-୧୯ ଜରୁରୀକାଳୀନ ପ୍ରଶମନ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତି ପ୍ୟାକେଜ । ଏହାକୁ ତିନିଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ ।

ପ୍ରଥମ ପର୍ଯ୍ୟାୟରେ ୨୦୨୦ ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ, ଦ୍ୱିତୀୟ ପର୍ଯ୍ୟାୟରେ ୨୦୨୦ ଜୁଲାଇରୁ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଓ ତୃତୀୟ ପର୍ଯ୍ୟାୟର ସୀମା ହେଉଛି ୨୦୨୧ ଏପ୍ରିଲରୁ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ରହିବ । ଏହି ପାଣ୍ଠିର ଅର୍ଥକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡିକ ମଧ୍ୟରେ ଭାଗ କରାଯିବ । ଜାତୀୟ ସ୍ବାସ୍ଥ୍ୟ ମିସନ ତରଫରୁ ଜାରି କରାଯାଇଥିବା ସର୍କୁଲାରରେ କୁହାଯାଇଛି ଯେ, କୋଭିଡ୍‌-୧୯ର ପ୍ରତିରୋଧ ଓ ମୁକାବିଲା ଲାଗି ପ୍ରସ୍ତୁତି, ଆବଶ୍ୟକ ମେଡିକାଲ ଉପକରଣ ମଗାଇବା, ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା, ନିରୀକ୍ଷଣ ବ୍ୟବସ୍ଥାକୁ କଡ଼ାକଡ଼ି କରିବା, ପରୀକ୍ଷାଗାର ଓ ଜୈବ ନିରାପତ୍ତା ପ୍ରସ୍ତୁତି ପାଇଁ ଜାତୀୟ ଓ ରାଜ୍ୟସ୍ତରରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି କୋଭିଡ୍‌-୧୯ ଜରୁରୀକାଳୀନ ପାଣ୍ଠି ସ୍ଥାପନ କରାଯାଇଛି। ଏହି ସ୍କିମ୍‌ର ପ୍ରଥମ ପର୍ଯ୍ୟାୟରେ ହସ୍ପିଟାଲ୍, ସରକାରୀ ଆମ୍ବୁଲାନ୍ସକୁ ଜୀବାଣୁମୁକ୍ତ କରିବା ଏବଂ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଓ ଏନ୍‌-୯୫ ମାସ୍କ କିଣିବା ବାବଦରେ ପାଣ୍ଠିରୁ ଜାରି କରାଯିବାକୁ ଥିବା ଅର୍ଥ ବ୍ୟୟ କରାଯିବ।