କନ୍ଧମାଳରେ ପୁଣି ୧୫ ଆକ୍ରାନ୍ତ ଚିହ୍ନଟ, ୩ ସୁସ୍ଥ

ଫୁଲବାଣୀ,ଏନ୍ଏନ୍ଏସ୍ : କନ୍ଧମାଳ ଜିଲ୍ଲାରେ ପୁଣି ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୩ ଜଣ ପୁରୁଷ ଥିବା ବେଳେ ୨ ଜଣ ମହିଳା ଅଛନ୍ତି ଓ ସେମାନଙ୍କ ବୟସ ୧୩ ରୁ ୬୨ ବର୍ଷ ମଧ୍ୟରେ ରହିଛି । ୬ ଜଣ ତାମିଲନାଡୁ ରାଜ୍ୟରୁ ଫେରିଥିବା ବେଳେ ପଶ୍ଚିମବଙ୍ଗ, ମହାରଷ୍ଟ୍ର, ଆନ୍ଧ୍ରପ୍ରଦେଶରୁ ୨ ଜଣ ଲେଖାଏ ଏବଂ କର୍ଣ୍ଣାଟକ, ଗୁଜୁରାଟ ଓ ବାଲେଶ୍ୱରରୁ ଜଣେ ଲେଖାଏ ଜିଲ୍ଲାକୁ ଫେରିଥିଲେ। ସେମାନେ ସମସ୍ତେ ଜିଲାର ବିଭିନ୍ନ ଟି.ଏମ୍.ସି ମାନଙ୍କରେ ରହୁଥିବା ବେଳେ ସମସ୍ତଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେଇଥିବାରୁ ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ସେମାନଙ୍କୁ ଭର୍ତି କରାଯାଇଥିଲା। ସେମାନଙ୍କ ସ୍ୱାବ୍ ରିପୋର୍ଟ ଗତକାଲି ପଜିଟିଭ୍ ଆସିଛି।

ଏହି ୧୫ ଜଣଙ୍କୁ ମିଶାଇ ଅଦ୍ୟବଧି ଜିଲ୍ଲାରେ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ୩ ଜଣଙ୍କୁ ମିଶାଇ ଜିଲ୍ଲାର ୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବର୍ତମାନ ୨୭ ଜଣ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାକୁ ୭,୯୫୬ ଜଣ ପ୍ରବାସୀ ଫେରିଥିବା ବେଳେ ୨୯୯୩ ଜଣ କ୍ୱାରେଣ୍ଟାଇନ ଅବଧି ଶେଷ କରି ଘରକୁ ଫେରିଛନ୍ତି ଓ ବାକି ୪୯୬୩ ଜଣ ଜିଲ୍ଲାର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଛନ୍ତି । ସେହିପରି ଜିଲ୍ଲାରୁ ଅଦ୍ୟବଧି ୧୮୬୬ ଟି ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସେଥିମଧ୍ୟରୁ ୧୬୭୮ଟି ରିପୋର୍ଟ ହସ୍ତଗତ ହୋଇଛି। ୫୨ଟି ପଜିଟିଭ୍ ଆସିଥିବା ବେଳେ ୧୬୨୬ଟି ନେଗେଟିଭ୍ ଆସିଛି ।