ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ାରେ ପୁଣି ୧୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪୬ରେ ପହଞ୍ଚିଛି। ସେଥିମଧ୍ୟରୁ ୫୩୮ ଜଣ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୦୭ ଜଣଙ୍କ ଚିକିତ୍ସା ଜାରି ରହିଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୮ଜଣ, ବେଲପାହାଡ଼ ପୌରାଞ୍ଚଳରୁ ଜଣେ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳ ଓ କୋଲାବିରା ବ୍ଲକ ଅଞ୍ଚଳରୁ ୩ଜଣ ଚିହ୍ନଟହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦଆଯାଇଛି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ ୬ଜଣ, ହୋମ କ୍ୱାରେଣ୍ଟାଇନରୁ ୯ଜଣ ଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ଜିଲ୍ଲାରେ ବିଗତ କିଛିଦିନର କରୋନା ଆକ୍ରନ୍ତଙ୍କ ସଂଖ୍ୟାକୁ ଅନୁଧ୍ୟାନ କଲେ ଗ୍ରାମଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହାକୁ ଆଖି ଆଗରେ ରଖି ଜିଲ୍ଲାର ୩ ସହର ଝାରସୁଗୁଡ଼ା, ବ୍ରଜରାଜନଗର ଓ ବେଲପାହାଡ଼ରେ କରୋନା ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ପାଇଁ ଶିକ୍ଷକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଧ୍ୟାଦେଶ ସଂଖ୍ୟା ୧୨୯୬୯ ତାରିଖ ୨୪/୮/୨୦୨୦ ଅନୁସାରେ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରେ ୨୯ଜଣ, ବ୍ରଜରାଜନଗରରେ ୨୦ଜଣ ଓ ବେଲପାହାଡ଼ ପୌରପରିଷରେ ୧୫ଜଣ ଶିକ୍ଷକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଏହି ଶିକ୍ଷକଙ୍କୁ ତାଲିମ ପ୍ରଦାନ କରାଯିବ। ଶିକ୍ଷକଙ୍କୁ ସଂକ୍ରମିତଙ୍କ ସରଭିଲାନ୍ସ ସହିତ କଣ୍ଟାକ୍ଟ ଟ୍ରେସିଂ ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ସେମାନଙ୍କ ସବିଶେଷ ବିବରଣୀ ଶୀଘ୍ର ମିଳିବ ବୋଲି ପ୍ରଶାସନ ପକ୍ଷରୁ ଆଶା କରାଯାଇଛି। ଏଥିସହିତ କଣ୍ଟାକ୍ଟ ଟ୍ରେସିଂ ତୁରନ୍ତ ହୋଇପାରିଲେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇ ସଂକ୍ରମଣ ଉପରେ ରୋକ ଲଗାଯାଇପାରିବ ବୋଲି ପ୍ରଶାସନ ପକ୍ଷରୁ ଏଭଳିି ନିଷ୍ପତ୍ତି ନିଆଯାଇଛି।