ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବଡ଼ମାଲ ଥାନା ଅନ୍ତର୍ଗତ ଶ୍ରୀପୁରା ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକ ପ୍ରସନ୍ନ ଦୀକ୍ଷୀତ(୮୩)ଙ୍କଠାରୁ ୧୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ଶ୍ରୀପୁରା ଗ୍ରାମର ଲଖିନ୍ଦ୍ର ପୌଢ଼ ବୋଲି ବଡ଼ମାଲ ଥାନାଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଗୋଟିଏ ଗ୍ରାମର ହୋଇଥିବାରୁ ପ୍ରସନ୍ନଙ୍କ ଘରକୁ ଲଖୀନ୍ଦ୍ର ଯିବା ଆସିବା କରୁଥିଲେ। ଦିନେ ଲଖୀନ୍ଦ୍ର ଏକ ବ୍ୟାଗ ଆଣି ପ୍ରସନ୍ନଙ୍କ ଘରେ ରଖିବା ସହ ପରଦିନ ସକାଳେ ନେଇଯିବେ ବୋଲି କହି ନେଇ ଯାଇଥିଲେ ମଧ୍ୟ। କିନ୍ତୁ ପରେ ସେ ପ୍ରସନ୍ନଙ୍କୁ ଫୋନ କରି କହିଥିଲେ ଯେ ସେହି ବ୍ୟାଗଟିରେ କଳାଧନ ଥିଲା ଏବଂ ପୁଲିସ ଉକ୍ତ ବ୍ୟାଗକୁ ଜବତ କରିଛି। ଏହି ମାମଲାରେ ତାଙ୍କ ସହ ପ୍ରସନ୍ନଙ୍କ ନାମ ମଧ୍ୟ ଜଡ଼ିତ ରହିଛି। ଫଳରେ ପୁଲିସ ଓ ଇନକମ୍ ଟ୍ୟାକ୍ସ ବିଭାଗ ପ୍ରସନ୍ନଙ୍କୁ କେଉଁ ସମୟରେ ବି ଗିରଫ କରିବ। ତେଣୁ ପୁଲିସକୁ ଲାଞ୍ଚ ଦେଇ ମାମଲା ରଫାଦଫା କରିବା ପାଇଁ ଟଙ୍କା ଦେବାକୁ ପଡ଼ିବ କହି ପ୍ରସନ୍ନଙ୍କଠାରୁ ଲଖୀନ୍ଦ୍ର ୨ଲକ୍ଷ, ୩ ଲକ୍ଷ କରି ପ୍ରାୟ ୧୫ ଲକ୍ଷ ଟଙ୍କା ଠକିଥିଲା। ପ୍ରସନ୍ନଙ୍କ ପାଖରେ ନିଜର ସମସ୍ତ ଜମା ପୁଞ୍ଜି ଶେଷ ହେବା ପରେ ମଧ୍ୟ ଲଖୀନ୍ଦ୍ର ତାଙ୍କୁ ଆହୁରି ଟଙ୍କା ମାଗିବା ସହ ଧମକ ଦେଇଥିଲେ। ହେଲେ ପ୍ରସନ୍ନଙ୍କ ପାଖରେ ଆଉ ଟଙ୍କା ନଥିବାରୁ ସେ ବଡ଼ମାଲ ଥାନାର ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମାଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରି ତାଙ୍କ ନିକଟରୁ ୪ ଲକ୍ଷ ୭୦ ହଜାର ଜବତ କରି ଅବସରପ୍ରାପ୍ତ ଶିକ୍ଷକ ପ୍ରସନ୍ନଙ୍କୁ ଫେରାଇ ଦେଇଛି। ଏହାସହ ଅଭିଯୁକ୍ତ ଲଖୀନ୍ଦ୍ରର ଅନ୍ୟ ଏକ ଆକାଉଣ୍ଟରେ ଥିବା ୪ ଲକ୍ଷ ଟଙ୍କାକୁ ବ୍ଲକ କରିଛି ଏବଂ ଆଉ କେଉଁଠି ଟଙ୍କା ରଖିଛି କିମ୍ବା ଖର୍ଚ୍ଚ କରିଛି ପୁଲିସ ସେନେଇ ଅଧିକ ତଦନ୍ତ ଜାରି ରଖିଛି।