ବିଏସ୍ଏଫ୍ ଯବାନଙ୍କ ସମେତ କୋରାପୁଟରୁ୧୫ କରୋନା ପଜିଟିଭ ଚିହ୍ନଟ

କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲାରେ ଆଜି ୨ଜଣ ବିଏସଏଫ ଯବାନଙ୍କ ସମେତ ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ମହିଳା ଓ ୧୧ଜଣ ପୁରୁଷ ରହିଛନ୍ତି। କ୍ୱାରେଣ୍ଟାଇନ କେନ୍ଦ୍ରର ୮ଜଣ, ହୋମ୍ କ୍ୱାରେଣ୍ଟାଇନର ୪ଜଣ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୩ଜଣ ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ କୋରାପୁଟ ପୌରାଞ୍ଚଳ ଅନ୍ତର୍ଗତ ଟାଉନ ହଲ୍ ଟିଏମସି, ଢେପସାହି, ରେଳବାଇ କଲୋନୀ ଓ ଭେଟେନାରୀ କଲୋନୀ, ସୁନାବେଡ଼ା ହାଲ୍ ଅଞ୍ଚଳ, କୋରାପୁଟ ବ୍ଲକ ଦାମନଯୋଡ଼ି, ନାଲକୋ ସେକ୍ଟର-୩, କଳାହାଣ୍ଡି କଲୋନୀରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି ଲକ୍ଷ୍ମୀପୁର ବ୍ଲକ ଆଇଟିଆଇ ଟିଏମସିରୁ ୫ଜଣ, ବୈପାରିଗୁଡ଼ା ବ୍ଲକ୍ ସଦର ମହକୁମା ଟିଏମସି, ଗୁମ୍ମା ଟିଏମସି ଓ ବୋରିଗୁମ୍ମା ବ୍ଲକ୍ ଗୁମୁଡ଼ା ଟିଏମସିରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, କୋରାପୁଟ ପୌରପରିଷଦରେ ଘର ଘର ବୁଲି ସର୍ଭେକ୍ଷଣ କରିବା କାର୍ଯ୍ୟ ପ୍ରାୟ ଶେଷ ହେଲାଣି କିଛିଦିନ ମଧ୍ୟରେ ଜୟପୁର, ସୁନାବେଡ଼ା ଓ କୋଟପାଡ଼ ସହରାଞ୍ଚଳରେ ସର୍ଭେ କରାଯିବାର ଯୋଜନା ରହିଛି । ଏଥିନିମନ୍ତେ ସମସ୍ତ ଜନସାଧାରଣ ସହଯୋଗ କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିବେଦନ କରିଛନ୍ତି।