ରାଜ୍ୟରେ ପୁଣି ୧,୪୩୪ କରୋନା ପଜିଟିଭ ଚିହ୍ନଟ, ୧୦ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ପୁଣି ୨୯ଟି ଜିଲ୍ଲାରୁ ୧,୪୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୯୧୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ କରୋନାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ୨୯ଟି ଜିଲ୍ଲାର ପଜିଟିଭ ଆକ୍ରାନ୍ତ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୨୦ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୧୮, ରାୟଗଡ଼ାରୁ ୧୯୭, କଟକରୁ ୧୨୩, ଗଜପତିରୁ ୯୧, ସୁନ୍ଦରଗଡ଼ରୁ ୭୬, ପୁରୀରୁ ୬୫, ଯାଜପୁରରୁ ୫୭, ସମ୍ବଲପୁରରୁ ୫୧, କନ୍ଧମାଳରୁ ୪୪, ଭଦ୍ରକରୁ ୨୫, ମାଲକାନଗିରିରୁ ୨୪, କେନ୍ଦ୍ରାପଡ଼ାରୁ ୨୨, କଳାହାଣ୍ଡିରୁ ୧୮, ଜଗତସିଂହପୁର ଓ ଢ଼େଙ୍କାନାଳରୁ ୧୩ ଜଣ ଲେଖାଏଁ, କୋରାପୁଟ ଓ ବାଲେଶ୍ୱରରୁ ୧୨ ଜଣ ଲେଖାଏଁ, ଅନୁଗୁଳରୁ ୯, ନୟାଗଡ଼ରୁ ୮, ନୂଆପଡ଼ାରୁ ୭, ସୋନପୁର ଓ ଝାରସୁଗୁଡ଼ାରୁ ୬ ଜଣ ଲେଖାଏଁ, ବରଗଡ଼ ଓ ବୌଦ୍ଧରୁ ୫ ଜଣ ଲେଖାଏଁ, ନବରଙ୍ଗପୁର, କେନ୍ଦୁଝର ଓ ଦେବଗଡ଼ରୁ ୨ ଜଣ ଲେଖାଏଁ ଏବଂ ମୟୂରଭଞ୍ଜରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ବର୍ତ୍ତମାନ ୧୩ ହଜାର ୪୦୪ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବାବେଳେ ୨୧ ହଜାର ୨୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି ଆଜି ରାଜ୍ୟରେ କରୋନାରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ମୋଟ ମୃତ୍ୟୁ ସଂଖ୍ୟା ୧୯୭ରେ ପହଞ୍ଚିଛି। ସେଥିମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ଜଣେ ୭୩ ବର୍ଷୀୟ ବୃଦ୍ଧ, ଭୁବନେଶ୍ୱର ଅଞ୍ଚଳର ଜଣେ ୭୮ ବର୍ଷୀୟ ବୃଦ୍ଧା, ଯାଜପୁର ଜିଲ୍ଲାର ଜଣେ ୮୦ ବର୍ଷୀୟ ବୃଦ୍ଧ ଓ କଳାହାଣ୍ଡି ଜିଲ୍ଲାର ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଏଥିସହିତ ଖୋର୍ଦ୍ଧା ଅଞ୍ଚଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ୫୮ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୬୦ ବର୍ଷୀୟ ବୃଦ୍ଧା। ଗଞ୍ଜାମରେ ଆଜି ୪ ଜଣଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରେ ୨ ଜଣ ୫୭ ବର୍ଷୀୟ ପୁରୁଷ, ଜଣେ ୯୪ ବର୍ଷୀୟ ବୃଦ୍ଧା ଓ ଅନ୍ୟଜଣେ ୪୫ ବର୍ଷୀୟ ମହିଳା ଥିବା ଜଣାପଡ଼ିଛି। ଏଥିସହିତ ଗଞ୍ଜାମ ଜିଲ୍ଲାରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୦୦ ପାର ହୋଇଛି।