କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ୧୪୦ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯୮ରେ ପହଞ୍ଚିଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କୋରାପୁଟ ପୌରାଞ୍ଚଳରୁ ୨୬, ଜୟପୁର ପୌରାଞ୍ଚଳରୁ ୩୯, ସୁନାବେଡ଼ା ପୌରାଞ୍ଚଳରୁ ୧୨ ଏବଂ କୋଟପାଡ଼ ଏନଏସିରୁ ୪ଜଣ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ଟିଏମସି କେନ୍ଦ୍ରରୁ ୧୩ଜଣ, ହୋମ୍ କ୍ୱାରେଣ୍ଟଇନରୁ ୮୩ଜଣ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୪୪ଜଣ ଆକ୍ରାନ୍ତ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଅନ୍ୟପଟେ କୋରାପୁଟ ମେଡିକାଲ କଲେଜରେ ପ୍ଲାଜମା ବ୍ୟାଙ୍କ୍ ପ୍ରତିଷ୍ଠା ହୋଇଥିବାରୁ କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ଅନ୍ୟର ଜୀବନ ବଞ୍ଚାଇବାକୁ ସୁସ୍ଥ ହେବାର ୨୮ ଦିନ ପରେ ପ୍ଲାଜମା ଦାନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରି ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କୁ ଚିକିତ୍ସା କ୍ଷେତ୍ରରେ ଆଉ ଏକ ସୁଯୋଗ ଦେଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି।