ଦିନକରେ ଦେଶରେ ୧୪ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪୪୫ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ମାରାତ୍ମକ କରୋନା ଜୀବାଣୁ ସଂକ୍ରମଣ ଭାରତରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୪ ହଜାର ୮୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିସହିତ ଭାରତରେ ମୋଟ ପଜିଟିଭ ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ୨୫ ହଜାର ୨୮୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧ ଲକ୍ଷ ୭୪ ହଜାର ୩୮୭ ଜଣ ଆକ୍ରାନ୍ତ ସକ୍ରିୟ ରହିଥିବାବେଳେ ୨ ଲକ୍ଷ ୩୭ ହଜାର ୧୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି। ଅନ୍ୟପଟେ କରୋନାରେ ଦେଶରେ ମୋଟ ୧୩, ୬୯୯ ଜଣଙ୍କ ମୃତ୍ୟୁ ହୋଇଛି।

କରୋନା ସଂକ୍ରମଣ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଆମେରିକା (୨୩,୫୬,୬୫୫), ଦ୍ୱିତୀୟରେ ବ୍ରାଜିଲ (୧୦,୮୬,୯୯୦) ଓ ତୃତୀୟରେ ଋଷ (୫,୮୪,୬୮୦) ସ୍ଥାନରେ ରହିଛି।