କନ୍ଧମାଳ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଏକ ଅଭିନବ ପ୍ରୟାସରେ ଜିଲ୍ଲା ପ୍ରଶାସନ, ଆଇଟିଡିଏ ଓ ଓଡ଼ିଶା ମାଇନିଙ୍ଗ କର୍ପୋରେସନର ମିଳିତ ଆନୁକୁଲ୍ୟ ନିକଟରେ ଜିଲ୍ଲାର ୬୦ଜଣ ସିଭିଲ ସର୍ଭିସ୍ ଆକାଂକ୍ଷୀଙ୍କୁ ଇଣ୍ଟରଭ୍ୟୁ ଓ କ୍ୟାରିୟର ମାର୍କିଂ ଦ୍ୱାରା ଚୟନ କରାଯାଇଥିଲା । ଜିଲ୍ଲା ଇ-ପାଠାଗାର ପଛପଟେ ଥିବା ସୁବ୍ୟବସ୍ଥିତ ବିଲ୍ଡିଂରେ ଦିଲ୍ଲୀର ଖ୍ୟାତନାମା କୋଚିଂ ସହ ସଂଯୋଗ କରି ବିଭିନ୍ନ ଅନଲାଇନ୍ କୋଚିଙ୍ଗ ଦିଆଯାଉଛି । ଏହି କୋଚିଙ୍ଗକୁ ଗତକାଲି ଭାରତ ଦର୍ଶନରେ ଆସିଥିବା ୧୪ଜଣ ପ୍ରୋବେସନାରୀ ଆଇଏଏସ, ଆଇପିଏସ, ଆଇଏଫଏସ ଓ ଆଇଆରଏସ ଆସିଥିଲେ । ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ନରେଶ ଚନ୍ଦ୍ର ଶବର ସମସ୍ତ ଅଧିକାରୀଙ୍କୁ କୋଚିଂକୁ ସ୍ୱାଗତ କରିବା ସହ ଏହାର ଆଭିମୁଖ୍ୟ ଓ ଯୋଜନା ସମ୍ପର୍କରେ ବୁଝାଇଥିଲେ। ସମସ୍ତ ଅଧିକାରୀ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ହେତୁ ଦେଶର ଅଧିକାଂଶ ସ୍ଥାନର ଆଇଏଏସଙ୍କୁ ଦେଖି ସବୁ ଆକାଂକ୍ଷୀ ବେଶ୍ ଉତ୍ସାହିତ ହୋଇଥିଲେ । ସମସ୍ତ ଆକାଂକ୍ଷୀ ଛାତ୍ରଛାତ୍ରୀଙ୍କୁ ସିଭିଲ ସର୍ଭିସ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନାପର୍ଯ୍ୟାଲୋଚନା କରିବା ସହ ନିଜର ସଫଳତା କାହାଣୀ ବଖାଣିଥିଲେ । ସିଭିଲ ସର୍ଭିସରେ ଆସୁଥିବା ପ୍ରଶ୍ନ ଓ ଚୟନ ବିଷୟ ପ୍ରତି ଅଧିକ ତର୍ଜମା କରିଥିଲେ । ପ୍ରତିଯୋଗିତା ପରୀକ୍ଷା ଓ ଏଥିରେ ଆସିବାକୁ ଥିବା ସମସ୍ୟାକୁ ସରଳ ଭାବରେ ବୁଝାଇଥିଲେ । ସବୁ ଆକାଂକ୍ଷୀ ଛାତ୍ରଛାତ୍ରୀଙ୍କ ପ୍ରତିଟି ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ । ଜିଲ୍ଲା ଇ-ପାଠାଗାର ଲାଇବ୍ରେରିୟାନ୍ ଶିବ ସୁନ୍ଦର ସାହୁ ଓ ସହକାରୀ ଲାଇବ୍ରେରିୟାନ୍ ପ୍ରଭାତ କୁମାର ଦାସ କାର୍ଯ୍ୟକ୍ରମକୁ ଆୟୋଜନ ଓ ସହଯୋଗ କରିଥିଲେ । ଶେଷରେ କୋଚିଂ ସୁପରିଟେଣ୍ଡେଣ୍ଟ ସୀମାଞ୍ଚଳ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ