ମହିଳାଙ୍କ ପେଟରୁ ବାହାରିଲା ୧୪ କେଜିର ଟ୍ୟୁମର

ସୁବର୍ଣ୍ଣପୁର,ଏନ୍‌ଏନ୍‌ଏସ୍‌: ସୁବର୍ଣ୍ଣପୁର ଜିଲ୍ଲାର ଏକ ଘରୋଇ ନର୍ସିଂହୋମରେ ସଫଳ ଅସ୍ତ୍ରୋପଚାର ହୋଇଛି । ମହିଳାଙ୍କ ପେଟରୁ ୧୪ କେଜିର ଓଭାରିୟନ ଟ୍ୟୁମର ବାହାର କରାଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ସହରର ଆଶା ନର୍ସିଂହୋମରେ ବିରମହାରାଜପୁର କେନ୍ଦୁପାଲିର ଜଣେ ମହିଳାଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ସ୍ତ୍ରୀ ଓ ପ୍ରସୂତି ଡାକ୍ତର ସ୍ୱପ୍ନେଶ୍ୱର ବେହେରା ଏହି ଅସ୍ତ୍ରୋପଚାରକୁ ସଫଳତାର ସହ କରି ୧୪ କେଜିର ଟ୍ୟୁମର ବାହାର କରିଥିଲେ । ତେବେ ମହିଳା ଜଣକ ଏବେ ସୁସ୍ଥ ଥିବା ନେଇ ନର୍ସିଂହୋମ ପକ୍ଷରୁ ସୂଚନା ମିଳିଛି ।