କୋରାପୁଟରୁ ୧୩୯ କରୋନା ପଜିଟିଭ ଚିହ୍ନଟ : ଲକଡାଉନ୍ କୋହଳରେ ମଧ୍ୟ କୋଭିଡ୍ ଏସଓପି ପାଳନ ବାଧ୍ୟ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ୧୩୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୬୦୮ରେ ପହଂଚିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କୋରାପୁଟ ପୌରାଂଚଳରୁ ୨୧ଜଣ, ଜୟପୁର ପୌରାଂଚଳରୁ ୨୫, ସୁନାବେଡ଼ା ପୌରାଂଚଳରୁ ୧୧ ଓ କୋଟପାଡ଼ ଏନଏସିରୁ ଜଣେ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୮ଜଣ ଟିଏମସି କେନ୍ଦ୍ରର ହୋଇଥିବାବେଳେ ୯୭ଜଣ ହୋମ୍ କ୍ୱାରେଣ୍ଟାଇନ୍ ଓ ୩୪ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ଓ କେନ୍ଦ୍ର ସରକାର ସେପ୍ଟେମ୍ବର ପହିଲାରୁ ଜାରି କରିଥିବା ଅନଲକ୍-୪ ଅନୁଯାୟୀ ଲକଡାଉନ୍ ଏବଂ ସଟଡାଉନ ନିୟମରେ କିଛି କୋହଳ କରିଥିଲେ ମଧ୍ୟ ସବୁ କ୍ଷେତ୍ରରେ କୋଭିଡ୍ ଏସଓପି କଡ଼ାକଡ଼ି ପାଳନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଥିଲେ ମଧ୍ୟ ଦୋକାନ ସମ୍ମୁଖରେ ଯେପରି ଗହଳି ନରୁହେ, ସାଧାରଣ ସ୍ଥାନରେ ଛେପ ନପକାଯାଏ ଓ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ଓ ସାନିଟାଇଜର ନିୟମିତ ବ୍ୟବହାର କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି।