ରାଜ୍ୟରେ ଚିହ୍ନଟ ହେଲେ ନୂଆ ୧୩୪ କରୋନା ଆକ୍ରାନ୍ତ, ଜଣେ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତକାଲି ତୁଳନାରେ ଆଜିର ରିପୋର୍ଟରେ କରୋନା ସଂକ୍ରମଣ ଖୁବ୍ କମିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧ଟି ଜିଲ୍ଲା ଓ ଷ୍ଟେଟପୁଲରୁ ୧୩୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ଥିବା ବେଳେ ୫୫ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୩୩,୪୪୪କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅନ୍ୟପଟେ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ସୁନ୍ଦରଗଡ଼ରୁ ସର୍ବାଧିକ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କରୋନାରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣଙ୍କ ବରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି।

ଏଥିସହିତ ରାଜ୍ୟରେ ବର୍ତ୍ତମାନ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧,୯୦୧ରେ ପହଞ୍ଚିଛି। ସେହିପରି ରାଜ୍ୟରେ କରୋନାରେ ଆଜି ସୁଦ୍ଧା ୩,୨୯,୫୪୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୯୪୪ ଜଣ ଚିକିତ୍ସାଧୀନ ଅଛନ୍ତି।