ରିଲାଏନ୍ସର ତ୍ରୟମାସିକ ଲାଭ ୧୩,୨୪୮ କୋଟି, ଜିଓ ଲାଭରେ ୧୮୩% ବୃଦ୍ଧି

ମୁମ୍ବାଇ,ଏଜେନ୍ସି: ପ୍ରମୁଖ ଶିଳ୍ପଗୋଷ୍ଠୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚଳିତ ଆର୍ଥିକ ବର୍ଷ(୨୦୨୦-୨୧)ର ପ୍ରଥମ ତିନି ମାସରେ ମୋଟ ୮୮,୨୫୩ କୋଟି ଟଙ୍କାର ଆୟ କରିଥିବା ବେଳେ ଏହି ସମୟରେ କମ୍ପାନୀର ସାମଗ୍ରିକ ଲାଭାଂଶ ପରିମାଣ ୧୩,୨୪୮ କୋଟି ଟଙ୍କା ରହିଥିବା ଏହାର ଆର୍ଥିକ ଫଳାଫଳ ଘୋଷଣା ପରେ ଜଣାପଡ଼ିଛି। ଏକଦା ତୈଳ ଏବଂ ଗ୍ୟାସ୍ ଏହି ଶିଳ୍ପଗୋଷ୍ଠୀର ମୁଖ୍ୟ ବ୍ୟବସାୟିକ ଆଧାରସ୍ଥଳ ରହିଥିବା ବେଳେ ଏବେ ରିଟେଲ ଏବଂ ଡିଜିଟାଲ୍ କ୍ଷେତ୍ରର ବ୍ୟବସାୟକୁ କମ୍ପାନୀ ସର୍ବାଧିକ ଗୁରୁତ୍ୱ ଦେବା ସହିତ ଏହିସବୁ କ୍ଷେତ୍ରରୁ ସର୍ବାଧିକ ଲାଭ ଉଠାଇଥିବା ଜଣାପଡ଼ିଛି। ଗତ ଆର୍ଥିକ ବର୍ଷର ଏହି ସମୟରେ କମ୍ପାନୀର ମୋଟ ଲାଭ ପରିମାଣ ୧୦,୧୦୪ କୋଟି ଟଙ୍କା ରହିଥିବା ବେଳେ ଚଳିତ ବର୍ଷ ଏହା ୩୦.୬ ପ୍ରତିଶତ ଅଭିବୃଦ୍ଧିରେ ୧୩,୨୪୮ କୋଟି ଟଙ୍କାରେ ପହଞ୍ଚିଛି।

ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍ ୨୦୨୦ ପର୍ଯ୍ୟନ୍ତ ପ୍ରଥମ ତ୍ରୟମାସରେ ରିଲାଏନ୍ସ ଜିଓର ନିଟ୍ ଲାଭରେ ୧୮୩ ପ୍ରତିଶତ ବୃଦ୍ଧି ଘଟି ଏହା ୨୫୨୦ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଗତ ଆର୍ଥିକ ବର୍ଷର ଏହି ସମାନ ତ୍ରୟମାସରେ ଜିଓର ନିଟ୍ ଲାଭ ୮୯୧ କୋଟି ଟଙ୍କା ରହିଥିଲା। ଏହି ସମୟରେ ଜିଓର ପରିଚାଳନାଗତ ରାଜସ୍ୱ ଗତ ବର୍ଷ ତୁଳନାରେ ୩୩.୭ ପ୍ରତିଶତ ବୃଦ୍ଧି ପାଇ ୧୬୫୫୭ କୋଟି ଟଙ୍କା ହୋଇଛି।

୨୦୨୦ ଜୁନ୍ ୩୦ ସୁଦ୍ଧା କମ୍ପାନୀର ମୋଟ ଗ୍ରାହକ ସଂଖ୍ୟା ୩୯.୮୩ କୋଟିରେ ପହଞ୍ଚିଥିବାବେଳେ ଗ୍ରାହକ ପ୍ରତି ରାଜସ୍ୱ ବୃୃଦ୍ଧି ପାଇ ମାସକୁ ୧୪୦.୩ ଟଙ୍କାରେ ପହଞ୍ଚଥିବା କୁହାଯାଇଛି। ଏହି ତ୍ରୟମାସରେ କମ୍ପାନୀ ୯୯ ଲକ୍ଷ ଗ୍ରାହକ ଯୋଡିଛି। ଶ୍ରେଷ୍ଠ ୪ଜି ନେଟ୍ୱର୍କ ବଳରେ ଗତବର୍ଷ ତୁଳନାରେ ଏହି ତ୍ରୟମାସରେ ଜିଓ ନେଟୱର୍କରେ ଡାଟା ବ୍ୟବହାର ୩୦ ପ୍ରତିଶତ ବୃଦ୍ଧି ପାଇ ୧୪.୨ ଏକ୍ସାବାଇଟରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।