କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲାରେ ୧୩୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜୟପୁର ସହରରେ ସର୍ବାଧିକ ୪୧ଜଣ ରହିଥିବା ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୦୮ରେ ପହଞ୍ଚିଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କୋରାପୁଟ ପୌରାଞ୍ଚଳରୁ ୨୫, ଜୟପୁର ପୌରାଞ୍ଚଳରୁ ୪୧, ସୁନାବେଡ଼ା ପୌରାଞ୍ଚଳରୁ ୧୧, ନାରାୟଣପାଟଣାରୁ ୬ ଓ କୋଟପାଡ଼ ଏନଏସିର ମହାନ୍ତି ସାହିରୁ ଜଣେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଟିଏମସି କେନ୍ଦ୍ରରୁ ୩ଜଣ, ହୋମ୍ କ୍ୱାରେଣ୍ଟାଇନରୁ ୫୦ଜଣ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୭୯ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେବେ ସ୍ୱାବ୍ ପରୀକ୍ଷା ସଂଖ୍ୟା ବଢୁଥିବାରୁ ଦିନକୁଦିନ କୋରାପୁଟ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ସେଥିପାଇଁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଜିଲ୍ଲାପାଳ ଜନସାଧାରଣଙ୍କୁ ଆଶ୍ୱାସନା ଦେବା ସହ ସମସ୍ତେ ସାମାଜିକ ଦୂରତା ଅବଲମ୍ବନ କରି ମାସ୍କ ପିନ୍ଧିଲେ କରୋନାକୁ ହରାଇବା ବୋଲି ଆହ୍ୱାନ ଦେଇଛନ୍ତି।