କରୋନା ସଂକ୍ରମଣ ବଢ଼ିବାରୁ ମୁମ୍ବାଇରେ ୧୩୦୫ଟି ବିଲ୍ଡିଂ ସିଲ୍ କଲା ବିଏମସି

ମୁମ୍ବାଇ: ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ସହରର ୧୩୦୫ଟି ବିଲ୍ଡିଂକୁ ବିଏମସି ସିଲ୍ କରିଦେଇଛି। ବିଏମସିର ଏହି ପଦକ୍ଷେପ ଦ୍ୱାରା ବିଲ୍ଡିଂରେ ରହୁଥିବା ୭୧ ହଜାର ୮୩୮ ଜଣଙ୍କ ଉପରେ ପ୍ରଭାବ ପଡ଼ିବ। ଗୋଟିଏ ବିଲ୍ଡିଂରୁ ୫ କିମ୍ବା ତହିଁରୁ ଉର୍ଦ୍ଧ୍ୱ ମାମଲା ଆସିବା ଯୋଗୁ ବିଏମସି ଏଭଳି ପଦକ୍ଷେପ ନେଇଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨,୭୪୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି।

ସୂଚନାଯୋଗ୍ୟ, ଆଜି ନୂଆ କରୋନା ମାମଲା ସାମ୍ନାକୁ ଆସିବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ଲକ୍ଷ ୮୭ହଜାର ୬୩୨କୁ ବୃଦ୍ଧି ପାଇଛି। ଅନ୍ୟପଟେ ମୃତକଙ୍କ ସଂଖ୍ୟା ୫୧ ହଜାର ୭୧୩ ହୋଇଯାଇଛି। ମୁମ୍ବାଇ ସହର ଓ ଆଖପାଖ ଅଞ୍ଚଳରୁ ସର୍ବାଧିକ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି। କିନ୍ତୁ ଫେବୃଆରୀ ୧୨ ପରଠୁ ଅମରାବତୀ ଓ ଅକୋଲାରେ ଖୁବ୍ ଦ୍ରୁତ ଗତିରେ କରୋନା ମାମଲା ବୃଦ୍ଧି ପାଇଛି।