ରାଜ୍ୟରେ ଆଉ ୧୩୦ କରୋନା ପଜିଟିଭ୍ ଚିହ୍ନଟ; ସର୍ବାଧିକ କଟକ, ସଂଖ୍ୟା ଛୁଇଁଲା ୨୬୦୮କୁ

ଭୁବନେଶ୍ୱର : ରାଜ୍ୟରେ ଆଉ ୧୩୦ କରୋନା ପଜିଟିଭ୍ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟଶର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୩୦ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ଚିହ୍ନଟ ଓ ୬ଜଣ ଲୋକାଲ କେସ୍ ବୋଲି ଜଣାପଡ଼ିଛି। ୨୧ଜିଲ୍ଲାରୁ ୧୩୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କଟକରୁ ସର୍ବାଧିକ ୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୟୁରଭଞ୍ଜ ଓ ଖୋର୍ଦ୍ଧରୁ ୨୨ଜଣ ଆ୍ରକାନ୍ତ ଚିହ୍ନଟ। ଗଞ୍ଜାମରୁ ୧୨, ସୁନ୍ଦରଗଡ଼ ଓ ଗଜପତିରୁ ୭ଜଣ ଚିହ୍ନଟ, କୋରାପୁଟରୁ ୬, ବରଗଡ଼ ଓ ଭଦ୍ରକରୁ ୪ଜଣ, ବଲାଙ୍ଗୀର, କନ୍ଧମାଳ, ଯାଜପୁର ଓ କଳାହାଣ୍ଡିରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ା, କେନ୍ଦୁଝର ଓ ଢ଼େଙ୍କାନାଳରୁ ୨ଜଣ, ପୁରୀ, ରାୟଗଡ଼ା, ଜଗତସିଂହପୁର, ଅନୁଗୁଳ, ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ଗୋଷ୍ଠୀସକ୍ରମଣ ଆଡ଼କୁ ଗତିକରୁଛି ବୋଲି ସୂଚନା ମିଳିଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୬ଦିନ ମିତରେ ରାଜ୍ୟରେ ଦିନକ ପରେ ଦିନେ ଶତକ ଛୁଇଁବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ରାଜ୍ୟସରକାର ତାଙ୍କ ଭିଡିଓ ବାର୍ତ୍ତାରେ କରୋନା ସଚେତନତା ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଥିଲେ। ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇ କହିଥିଲେ ଯେ ଗତ ୨ମାସରୁ ଅଧିକ ସମୟ ହେବ ଆମେ ତାଲାବନ୍ଦରେ ରହିଆସିଛେ । କରୋନା ଲଢେ଼ଇ ଆମ ପାଇଁ ଲମ୍ବା ଲଢେ଼ଇ ।

କରୋନାର ପ୍ରତିଶେଧକ ଏପର୍ଯ୍ୟନ୍ତ ଆସିନ ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ । ଆଗକୁ ମୌସୁମୀ ଆସୁଛି ତେଣୁ ଆମକୁ ଅଧିକ ସତର୍କ ରହିବାକୁ ହେବ । ତାଲାବନ୍ଦ କୋହଳ ହେଲା କିନ୍ତୁ କରୋନା ଯାଇନି । ଜୁନ ମାସ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ୫ଲକ୍ଷ ଓଡ଼ିଆ ଭାଇ ଭଉଣୀ ଘରକୁ ଫେରୁଛନ୍ତି । ସେମାନେ ଫେରିବା ଦ୍ୱାରା ପଡ଼ିବାକୁ ଥିବା ପ୍ରଭାବ ୧୫ରୁ ୨୦ ଦିନରେ କମିଯିବ । ମୌସୁମୀ ଆସିଲେ ଥଣ୍ଡା, କାଶ, ଜ୍ୱର ଦେଖାଦେଇପାରେ ତେଣୁ ଏନେଇ ସତର୍କ ରହିବାକୁ ପଡ଼ିବ । ଆସନ୍ତା ୨୫ ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କରୋନା ସଂକ୍ରମଣ ବର୍ତ୍ତମାନ ଶୀର୍ଷ ସ୍ଥାନରେ ଅଛି । ଦେଶରେ ବଢ଼ୁଥିବା ସଂକ୍ରମଣ ଆମ ପାଇଁ ବଡ଼ ଆହ୍ୱାନ । ଜରୁରୀ କାମ ନଥିଲେ ବାହାରକୁ ନବାହାରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧିପାଇଛି। ସେଥିମଧ୍ୟରୁ ୭ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ୧୪୮୧ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟ ୧୧୧୮ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।