ଗୁଜୁରାଟକୁ ଚାଲାଣ ହେଉଥିବା ୧୩ ଆଦିବାସୀ ଶିଶୁ ଶ୍ରମିକ ଉଦ୍ଧାର

ଉଦୟପୁର,ଏଜେନ୍ସି: ୨ଟି ବସରେ ୧୩ ଜଣ ଆଦିବାସୀ ପିଲାଙ୍କୁ କାମ କରିବା ପାଇଁ ଚାଲାଣ କରାଯାଉଥିବାବେଳେ ଆଜି ରାଜସ୍ଥାନର ଉଦୟପୁର ଅଞ୍ଚଳରୁ ସେମାନଙ୍କୁ ଉଦ୍ଧାର କରାଯାଇଛି। ସେମାନେ ଗୁଜୁରାଟକୁ ଚାଲାଣ ହେଉଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଜଣେ ୧୫ ବର୍ଷୀୟ ନାବାଳିକା ଥିବା ଜଣାପଡ଼ିଛି।

ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ରିଦ୍ଧିମା ଶର୍ମାଙ୍କ ସୂଚନା ଅନୁସାରେ ୧୦ଟି ଘରୋଇ ବସରେ ୧୦-୧୫ ଜଣ ପିଲାଙ୍କୁ କାମ କରିବା ପାଇଁ ଚାଲାଣ କରାଯାଉଛି, ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଉ ବୋଲି ଗତକାଲି ରାତ୍ରିରେ କେହିଜଣେ ସୂଚନା ଦେଇଥିଲେ। ପରେ ପୁଲିସ ସୂଚନା ପାଇ ଚେକ୍ ପୋଷ୍ଟ ଗୁଡ଼ିକରେ ଜଗି ରହିଥିଲେ। ଏହି ସମୟରେ ଗୋଟିଏ ବସରୁ ପୁଲିସ ୧୦ ଜଣ ପୁଅ ଓ ଜଣେ ଝିଅଙ୍କୁ ଉଦ୍ଧାର କରିଥିଲା। ସେହିପରି ଅନ୍ୟ ଏକ ବସରୁ ୨ ଜଣ ପୁଅ ପିଲାଙ୍କୁ ଉଦ୍ଧାର କରାଯାଇଥିଲା।

ଗତ ବର୍ଷ ଭିତରେ ଉଦୟପୁରରୁ ୧୦୦ ଜଣ ପିଲାଙ୍କୁ ଚାଲାଣରୁ ଉଦ୍ଧାର କରାଯାଇଥିବା ଶ୍ରୀମତୀ ଶର୍ମା ସୂଚନା ଦେଇଛନ୍ତି।