ସ୍କୁଟି ଚାଳିକାଙ୍କୁ ୧୩ ହଜାର ଟଙ୍କା ଫାଇନ୍

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଆଞ୍ଚଳିକ ପରିବହନ ନିଗମ ଦ୍ୱାରା ଶନିବାର ୩ଟି ଛୋଟ ଗାଡିକୁ ବଡ ଫାଇନ୍ ହୋଇଛି। ଗୋଟିଏ ଟାଟା ମ୍ୟାଜିକ୍ ଗାଡିକୁ ୩୮ ହଜାର ୫ ଶହ, ଛୋଟ ଟେମ୍ପୁକୁ ୨୭ ହଜାର ୫ ଶହ ଓ ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କ ସ୍କୁଟିକୁ ୧୩ ହଜାର ଟଙ୍କା ଜରିମାନା ହୋଇଛି।

ପ୍ରାପ୍ତ ଖବରରୁ ଯାହା ଜଣାଯାଏ ବାଲେଶ୍ୱର-ଭଦ୍ରକକୁ ଆସୁଥିବା ଏକ ଯାତ୍ରୀବାହୀ ଟାଟା ମ୍ୟାଜିକ୍ ଗାଡିକୁ ରାଣୀତାଲ ପାଖରେ ଆଞ୍ଚଳିକ ପରିବହନ ନିଗମ ବିନା କାଗଜପତ୍ର, ଫିଟନେସ୍ ଡ୍ରାଇଭିଂ ଲାଇସେନ୍ସ ପାଇଁ ଫାଇନ୍ କରିଥିଲେ।

ସେହିଭଳି ଏକ ଯାତ୍ରୀବାହୀ ତିନିଚକିଆ ଟେମ୍ପୁ ଠାରୁ ୨୭ ହଜାର ୫ ଶହ ଟଙ୍କା ଜରିମାନା ନିଆଯାଇଛି। ଅନୁରୂପ ଭଦ୍ରକ ଆରଟିଓ ଆଜି ଏକ ସ୍କୁଟିରେ ଆସୁଥିବା ସ୍କୁଲ ଶିକ୍ଷୟିତ୍ରୀଙ୍କ ଠାରୁ ୧୩ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି।

ସୂଚନାଯୋଗ୍ୟ, ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ୟୁନାନୀ ମେଡିକାଲ ପାଖ ସର୍କାର ନଗର ନିବାସୀ ଏସ.କେ. ନିଜାମୁଦ୍ଧିନଙ୍କ କନ୍ୟା ନାହିଦ ଅଖତର ସ୍କୁଲରୁ ଘରକୁ ଫେରୁଥିବା ସମୟରେ ଆରଟିଓ ପୁଲିସ ଗାଡି କାଗଜପତ୍ର ମାଗିଥିଲେ। ପରିବହନ ଆଇନ୍ ଉଲ୍ଲଂଘନ କରିବା ଓ ତାଙ୍କର ଡିଏଲ୍ ନଥିବା ଅଭିେଯାଗରେ ୧୩ ହଜାର ଟଙ୍କା ଜରିମାନା କରାଯାଇଛି।

ତେବେ ତାଙ୍କୁ ହେଲମେଟ୍ ପାଇଁ ୧ ହଜାର, ଇନ୍ସୁରାନ୍ସ ପାଇଁ ୨ ହଜାର, ଲାଇସେନ୍ସ ପାଇଁ ୫ ହଜାର, ତାଙ୍କ ବାପାଙ୍କ ନାଁରେ ଗାଡି ଥିବାରୁ ୫ ହଜାର ଟଙ୍କା ହିସାବରେ ମୋଟ ୧୩ ହଜାର ଟଙ୍କା ଜରିମାନା କରାଯାଇଛି। ଏହି ଘଟଣା ପରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।