କୋରୁକୋଣ୍ଡା,ଏନ୍ଏନ୍ଏସ୍: କରୋନା ଲଢ଼େଇରେ ବିଜୟୀ ହୋଇଛି ଜଣେ ୧୩ ମାସର ଶିଶୁ । ସୁସ୍ଥ ଶିଶୁଟି ହେଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୪୫ ଗ୍ରାମର ଗାୟତ୍ରୀ ମଣ୍ଡଳଙ୍କ ପୁଅ ଦୀପମ ମଣ୍ଡଳ । ମିଳିଥିବା ରିପୋର୍ଟ ମୁତାବକ, ଉଭୟ ମା’ ଓ ଶିଶୁ ଚେନ୍ନାଇରୁ ଫେରି କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୭୨ ସଂଗରୋଧ କେନ୍ଦ୍ରରେ ରହିଥିଲେ। କରୋନା ଟେଷ୍ଟ କରାଇବା ପରେ ଉଭୟଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ପରେ ସେମାନଙ୍କୁ ତୁରନ୍ତ ମାଲକାନଗିରି କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାକୁ ପଠାଯାଇଥିଲା। ଏମ୍ସରେ ୧୧ଦିନ ରହିବା ପରେ ଦୁହେଁ ସୁସ୍ଥ ହୋଇ ଘରକୁ ଫେରିଥିଲେ। ତେବେ ବର୍ତ୍ତମାନ ଉଭୟ ମା’ ଏବଂ ଛୁଆ ସୁସ୍ଥ ଅଛନ୍ତି। କୋଭିଡ ହସ୍ପିଟାଲରେ ସରକାରଙ୍କ ପକ୍ଷରୁ ସବୁପ୍ରକାର ସୁବିଧା ଯୋଗାଇ ଦିଆଯାଉଥିବା ଗାୟତ୍ରୀ କହିଥିଲେ। ଗାୟତ୍ରୀ କହିଛନ୍ତି ଯେ, କରୋନା ଯଦି ହୁଏ ତେବେ ତାକୁ ଆମେ ଡରିବା ନାହିଁ କିମ୍ବା ରୋଗକୁ ଲୁଚାଇବା ନାହିଁ। ତୁରନ୍ତ ନିଜର ପରୀକ୍ଷା କରାଇବା ସହିତ ସରକାରଙ୍କ ନିୟମ ମାନି କରୋନା ସହ ଲଢ଼ିବା।