ରାମନାଗୁଡା,ଏନ୍ଏନ୍ଏସ୍: କରୋନା ମୁକାବିଲା ପାଇଁ ଲକଡ଼ାଉନର ସୁଯୋଗ ନେଇ ରାୟଗଡା ଜିଲ୍ଲା ଗୁଣୁପୁରରେ ଗୁଟଖାର କଳାବଜାରି ବଢ଼ିଯାଇଛି। ବ୍ୟାପକ ପରିମାଣରେ ଗୁଟୁଖା ଗଚ୍ଛିତ ରଖି ବଜାରରେ କଳାବଜାରୀ ସୃଷ୍ଟି କରୁଛନ୍ତି ଲାଭଖୋର ବ୍ୟବସାୟୀ। ଫଳରେ ବଜାରରେ ୫ ଟଙ୍କାର ଗୁଟୁଖା ଓ ତମାଖୁକୁ ୫୦ ଟଙ୍କାରେ ବିକ୍ରି କରାଯାଉଛି। ସ୍ଥାନୀୟ ପୁଲିସ ଏ ନେଇ ବାରମ୍ବାର ତାଗିଦ ପରେ ମଧ୍ୟ ଲାଭଖୋର ବ୍ୟବସାୟୀମାନେ ଶୁଣୁନାହାନ୍ତି। ଫଳରେ ଆଜି ପୁଲିସ ଉକ୍ତ ଗୋଦାମ ଉପରେ ଚଢ଼ଉ କରିଛି।
ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜଗନ୍ନାଥ ରୋଡ଼ ନିକଟରୁ ବି ସନ୍ତୋଷ କୁମାରଙ୍କ ଗୋଦାମରୁ ୬୨ ବସ୍ତା ଓ ଶ୍ରୀନିବାସ ନଗର ସ୍ଥିତ ଶେଷଦେଵ ମାଝୀଙ୍କ ଗୋଦାମରୁ ୧୪୮ ବସ୍ତା ଗୁଟୁଖା ସାମଗ୍ରୀ ଜବତ କରିବା ସହ ଏହି ଦୁଇ ଜଣକୁ ଗିରଫ କରିଛି। ଜବତ ମୋଟ ଗୁଟୁଖାର ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ସେହିଭଳି ରାମନାଗୁଡା ଅଞ୍ଚଳରେ ଚୋରା ମଦ କାରବାର ଅଭିଯୋଗରେ ରାମଚନ୍ଦ୍ର ଉତ୍ତରକବାଟ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୩୦ ଲିଟର ଲିକର ଜବତ କରିବା ସହ ଗିରଫ କରାଯାଇଥିବା ଗୁଣୁପୁର ଏସଡିପିଓ ରାଜକିଶୋର ଦାସ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।