୨୬/୧୧ ମୁମ୍ବାଇ ଆକ୍ରମଣକୁ ଆଜି ୧୨ ବର୍ଷ ପୁରିଲା

ମୁମ୍ବାଇ,ଏଜେନ୍ସି: ମୁମ୍ବାଇରେ ୨୬/୧୧ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆଜି ୧୨ ବର୍ଷ ପୁରିଛି। ଏନେଇ ମୁମ୍ବାଇ ପୁଲିସ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସେଥିରେ ସହିଦ ସୁରକ୍ଷା ବାହିନୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ। କରୋନା ମହାମାରୀ ସମୟରେ ଏହି କାର୍ଯ୍ୟକ୍ରମ ହେଉଥିବାରୁ ଏଥିରେ ଖୁବ୍ କମ ଲୋକ ଲୋକ ସାମିଲ ହେବେ ବୋଲି ସୂଚନା ଦିଆଯାଇଛି।

ଦକ୍ଷିଣ ମୁମ୍ବାଇରେ ନୂତନ ଭାବେ ନିର୍ମାଣ ହୋଇଥିବା ପୁଲିସ ମୁଖ୍ୟାଳୟରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। ଏଥିରେ ସହିଦ ହୋଇଥିବା ସୁରକ୍ଷା ବାହିନୀର ପରିବାର ଲୋକେ ଓ ପୁଲିସ ସାମିଲ ହେବେ ବୋଲି ବୁଧବାର ଦିନ ପୁଲିସ ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥି ସହିତ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋସୟାରି, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଗୃହମନ୍ତ୍ରୀ ଅନିଲ ଦେଶମୁଖ, ଡିଜିପି ସୁବୋଧ କୁମାର ଜୈଶୱାଲ, ମୁମ୍ବାଇ ପୁଲିସ କମିସନର ପରମ ବିର ସିଂ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ।