ଆଜି ରାଜଧାନୀରୁ ପୁଣି ୧୨୬ କରୋନା ପଜିଟିଭ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୪୯

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଭୂତାଣୁ ଭୟାବହ ହେବାରେ ଲାଗିଛି। ଆଜି ରାଜଧାନୀରୁ ପୁଣି ୧୨୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଭୁବନେଶ୍ୱରରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୮୬୧ରେ ପହଞ୍ଚିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ୧୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୭୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୪୯ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ସ୍ଥାନୀୟ ସଂକ୍ରମଣ ମଧ୍ୟରେ ୪ ଜଣ ଡୁମଡୁମା ଅଞ୍ଚଳର, ୩ ଜଣ ଭରତପୁର ଅଞ୍ଚଳର, ୩ ଜଣ ବରମୁଣ୍ଡା ଅଞ୍ଚଳର ଏବଂ ଜୟଦେବ ବିହାର, ବମିଖାଲ, ନିଳାଦ୍ରୀ ବିହାର, ଚନ୍ଦ୍ରଶେଖରପୁରର ଏଚବି କଲୋନୀ, ପୋଖରୀପୁଟ, ନୟାପଲ୍ଲୀ ଏବଂ ଶୈଳଶ୍ରୀ ବିହାର ଅଞ୍ଚଳରୁ ୨ ଜଣ ଲେଖାଏଁ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ସେହିପରି ବଡ଼ଗଡ଼, ଭୀମଟାଙ୍ଗୀର ଏୟାରପୋର୍ଟ ଷ୍ଟାଫ୍, ଓଲ୍ଡ ଟାଉନ, ସାଲିଆ ସାହି, ବୁଦ୍ଧେଶ୍ୱର କଲୋନୀ, ନୂଆସାହି, ଚନ୍ଦ୍ରଶେଖରପୁର, ଭୋଇ ନଗର, ବରମୁଣ୍ଡାର ଏନଆଇଏମଏସ୍, ବମିଖାଲ ଦୂର୍ଗା ମଣ୍ଡପ, ବିଜେପି ନଗର, ରମାମଣି ସାହି, ଆଇଆରସି ଭିଲେଜ ନଂ-୧, ବିଏମସି ମଲ, ମଞ୍ଚେଶ୍ୱର, ଜାଗମରା, ସତ୍ୟନଗର, ଭିମୋଶ୍ୱର ପାଟଣ, ଗଡ଼କଣା, ନୟାପଲ୍ଲୀର ତ୍ରିନାଥ ବସ୍ତି, ଶ୍ରୀରାମ ନଗର, ସୁନ୍ଦରପଡ଼ା, ୟୁନିଟ-୬ ଓ ଦୁଇ ଘରୋଇ ହସ୍ପିଟାଲରୁ ୨ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ରାଜଧାନୀରୁ ୧,୫୬୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୧,୨୭୬ ଆକ୍ରାନ୍ତ ସକ୍ରିୟ ଅଛନ୍ତି। ସେହିପରି ୧୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।