ନୂଆପଡ଼ା,ଏନ୍ଏନ୍ଏସ୍: ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଜିଲ୍ଲା ପୁଲିସ ଓଡିଶାର ୨ ଜଣ ହୀରା ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୧୨୫ ଖଣ୍ଡ ହୀରା ଜବତ କରାଯାଇଛି। ଏହି ହୀରାର ମୂଲ୍ୟ ୩୦ ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଏହି ୨ ଜଣ ବିଭିନ୍ନ ରାଜ୍ୟକୁ ହୀରା ଚୋରା ଚାଲାଣ କରୁଥିବା ଗରିଆବନ୍ଧ ଏସପି ଭୋଜରାମ ପଟେଲ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏସ୍ପିଙ୍କ ସୂଚନା ଅନୁସାରେ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଜିଲ୍ଲାରେ ଏକ ହୀରାଖଣି ରହିଥିବା ବେଳେ ଏହା ଓଡିଶା ସୀମା ନୂଆପଡା ଜିଲ୍ଲା ସିନାପାଲି ବ୍ଲକରୁ ୮ କିଲୋମିଟର ଦୂରରେ ରହିଛି। ଏହି ପରିପ୍ରେକ୍ଷୀରେ ସେଠାରୁ ବେଆଇନ ଭାବେ ଅଣିଥିବା ହୀରାକୁ ପୁଲିସ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି।
ତେବେ ଉକ୍ତ ୨ ଜଣ ନୂଆପଡା ଜିଲ୍ଲା ସିନାପାଲି ଥାନା ଅଞ୍ଚଳର ବ୍ୟବସାୟୀ ବିକାଶ ମାଝୀ(୨୭) ଓ ଯୋଖୋ ମେହେର(୪୦)। ଗରିଆବନ୍ଧ ହୀରା ଖଣିରୁ ୧୨୫ ଖଣ୍ଡ ହୀରା ସଂଗ୍ରହ କରି ବିକ୍ରି ପାଇଁ ଏକ ଲାଲ ସୁପର ସ୍ପେଲେଣ୍ଡର (ଓଡି ୨୬-୪୯୯୭)ରେ ଛଚ୍ଛିଶଗଡର ମେନପୁର ଯାଇଥିଲେ। ଏ ସମ୍ପର୍କରେ ଗରିଆବନ୍ଧ ଏସପି ଖବରପାଇ ଏକ ପୁଲିସ ଟିମ ସହାୟତାରେ ମେନପୁର ଥାନା ଜରାପଦର ଠାରେ ଚଡ଼ଉ କରି ଉକ୍ତ ବ୍ୟବସାୟୀଙ୍କୁ ଗିରଫ କରିଥିଲେ। ଏହି ପରିପ୍ରେକ୍ଷୀରେ ସେମାନଙ୍କ ଠାରୁ ୧୨୫ ଖଣ୍ଡ ହୀରା ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି। ଏହି ଦୁଇ ବ୍ୟବସାୟୀଙ୍କ ବିଭିନ୍ନ ରାଜ୍ୟରେ ଲିଙ୍କ ଥିବା ପୁଲିସ ଅନୁମାନ କରୁଛି।
ଏହାଛଡା ପୁଲିସ ସେମାନଙ୍କ ବାଇକ୍ ଓ ମୋବାଇଲ ଜବତ କରି କେସ୍ ନଂ-୩୫/୨୦୨୦ରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ପୂର୍ବରୁ ମଧ୍ୟ ଏହି ବ୍ୟବସାୟୀଙ୍କ ଠାରୁ ୫୬ ଖଣ୍ଡ ହୀରା ଜବତ କରାଯାଇଥିଲା।