ବୁଣାକାର ହସ୍ତତନ୍ତ ବୟନ ବୃତ୍ତିରେ ଅଛନ୍ତି ୧,୨୨,୩୩୫

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ବୁଣାକାର ହସ୍ତତନ୍ତ ବୟନ ବୃତ୍ତି ଆପଣେଇଛନ୍ତି ୧ ଲକ୍ଷ ୨୨ ହଜାର ୩୩୫ ଜଣ । ରାଜ୍ୟରେ ବୁଣାକାରମାନଙ୍କର ଚାହିଦା ଅନୁଯାୟୀ ହାରାହାରି ୯୫ କୋଟି ଟଙ୍କାର ସୂତା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷପତ୍ରର ଆବଶ୍ୟକତା ରହିଛି । ବିଧାୟକ ମୁକେଶ ମହାଲିଙ୍ଗଙ୍କର ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଗୃହରେ ଉପରୋକ୍ତ ଲିଖିତ ଉତ୍ତର ରଖିଛନ୍ତି ।

ଶ୍ରୀମତୀ ଦିଆନଙ୍କ ତଥ୍ୟ ଅନୁଯାୟୀ ବୁଣାକାରମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅଦ୍ୟାବଧି ୫୫ଟି କଞ୍ଚାମାଲ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି । ସେହିପରି ବୟନଶିଳ୍ପ(ପୋଷାକ)ର ଉନ୍ନତି ପାଇଁ ରାଜ୍ୟ ସରକାର ଓଡ଼ିଶା ପୋଷାକ ନୀତି ୨୦୧୬ ପ୍ରଣୟନ କରିଛନ୍ତି । ଏହି ନୀତି ଅନୁଯାୟୀ କୌଣସି ସମୟରେ ଅନ୍ୟୁନ ୨୦୦ ଜଣ ଶ୍ରମିକ ବ୍ୟବସାୟିକ ଉତ୍ପାଦନ କାର୍ଯ୍ୟ କରୁଥିଲେ ସେହି ପୋଷାକ ଶିଳ୍ପକୁ ମାନ୍ୟତା ମିଳିବ । ଏଥିରେ କାମ କରୁଥିବା ଶ୍ରମିକଙ୍କ ନିଯୁକ୍ତିକୁ ବିଚାରକୁ ନେଇ ପ୍ରତି ଶ୍ରମିକ ପିଛା ମାସିକ ୧୫୦୦ ଟଙ୍କା ହିସାବରେ ସେହି ଶିଳ୍ପ ସଂସ୍ଥାକୁ ୩୬ ମାସ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।