ପେନସନରୁ ବଞ୍ଚିତ ୧୨୦ ଅବସରପ୍ରାପ୍ତ ଅଧ୍ୟାପକ, ଉଚ୍ଚଶିକ୍ଷା ବିଭାଗ-ଟ୍ରେଜେରୀ ମଧ୍ୟରେ ତାଳମେଳ ନାହିଁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସରକାର ସାଧାରଣ ଜନତାଙ୍କୁ ସର୍ବୋତ୍କୃଷ୍ଟ ସେବା ଯୋଗାଇଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିବାବେଳେ ଉଚ୍ଚଶିକ୍ଷା ବିଭାଗରେ କିନ୍ତୁ ବିଚିତ୍ର ନୀତି ସାମ୍ନାକୁ ଆସିଛି। ଏବେ ସମଗ୍ର ରାଜ୍ୟରେ କରୋନା କଟକଣା ଯୋଗୁଁ ଲୋକେ ବାହାରିପାରୁ ନଥିବାବେଳେ ରାଜ୍ୟବ୍ୟାପୀ ପ୍ରାୟ ୧୨୦ ଜଣ ଅବସରପ୍ରାପ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ପେନସନ ଫାଇଲକୁ ଭୁବନେଶ୍ୱରସ୍ଥିତ ଟ୍ରେଜେରୀ ଅଫିସ ଫେରାଇ ଦେଇଛି। ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଦିିଆଯାଇଥିବା ଏହି ପେନସନ ସମ୍ପର୍କିତ ଫାଇଲରେ ‘ନୋ-ଏନଗେଜମେଣ୍ଟ ସାର୍ଟିଫିକେଟ’ ନଥିବାରୁ ସମ୍ପୃକ୍ତ ଅଧ୍ୟାପକ/ଅଧ୍ୟାପିକାଙ୍କୁ ପେନସନ ଦିଆଯାଇପାରିବ ନାହିଁ ବୋଲି ଟ୍ରେଜେରୀ ଅଫିସ ସିଧାସଳଖ ଜଣାଇଛି।

ସୂଚନାଥାଉକି ଗତ ଜୁଲାଇ ମାସରେ ବିଭାଗ ପକ୍ଷରୁ ନୂଆକରି ଅବସର ନେଇଥିବା ଅଧ୍ୟାପକଙ୍କ ପାଇଁ ଏକ ନିୟମ ଲାଗୁ କରାଯାଇଛି। ନିୟମାନୁଯାୟୀ ନିକଟରେ ଅବସର ଗ୍ରହଣ କରିଥିବା ଅଧ୍ୟାପକ ଓ ଅଧ୍ୟାପିକାମାନେ ନୋ-ଏନଗେଜମେଣ୍ଟ ସାର୍ଟିଫିକେଟ ପ୍ରଦାନ କଲା ପରେ ସେମାନଙ୍କୁ ପେନସନ ସୁବିଧା ପ୍ରଦାନ କରାଯିବ। ଏଥିପାଇଁ ସମ୍ପୃକ୍ତ ଅଧ୍ୟାପକ ଓ ଅଧ୍ୟାପିକମାନଙ୍କୁ ଭୁବନେଶ୍ୱରକୁ ଆସି ସାର୍ଟିଫିକେଟ ଜମା କରିବାକୁ ପଡ଼ିବ। ତେବେ ବର୍ତ୍ତମାନ ରାଜ୍ୟବ୍ୟାପୀ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାବେଳେ ସ୍ଥିତି ଅସମ୍ଭାଳ ହୋଇପଡ଼ିଲାଣି। ସରକାର ମଧ୍ୟ ବାରମ୍ବାର ଅତି ଜରୁରୀ କାମ ନଥିଲେ ପଦାକୁ ଗୋଡ଼ କାଢ଼ିବାକୁ ମନା କରୁଛନ୍ତି। ବିଶେଷକରି ବୟସ୍କ ଲୋକମାନଙ୍କୁ ପଦାକୁ ଆଦୌ ନ ବାହାରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ବାରମ୍ବାର ଅନୁରୋଧ କରାଯାଉଛିି।

ତେବେ ଏପରି ପରିସ୍ଥିତିରେ ଉପରୋକ୍ତ ବୟସ୍କ ଅଧ୍ୟାପକ ଓ ଅଧ୍ୟାପିକାମାନେ କିପରି ଭୁବନେଶ୍ୱର ଆସିବେ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। କାରଣ ଏହି ୧୨୦ ଜଣିଆ ତାଲିକାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଅବସରପ୍ରାପ୍ତ ଅଧ୍ୟାପକମାନେ ରହିଛନ୍ତି। ଏପର୍ଯ୍ୟନ୍ତ ସମସ୍ତ ଅଞ୍ଚଳକୁ ଭୁବନେଶ୍ୱରରୁ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇପାରି ନଥିବାରୁ ସମସ୍ୟା ଉପୁଜିଛି। ଏପଟେ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ନିୟମଟି ଆଗରୁ ଟେଜେରୀ ପକ୍ଷରୁ ଲାଗୁ କରାଯାଉ ନଥିଲା। ତେବେ ଜୁଲାଇ ମାସରେ ଯେଉଁ ଅବସରପ୍ରାପ୍ତ ବରିଷ୍ଠ ଅଧ୍ୟାପକଙ୍କ ପେନସନ ନଥି ଟ୍ରେଜେରୀକୁ ପଠାଯାଇଥିଲା ସେଗୁଡ଼ିକୁ ସମ୍ପୃକ୍ତ କାର୍ଯ୍ୟାଳୟର କର୍ତ୍ତୃପକ୍ଷ ନିର୍ଦ୍ଦେଶାଳୟକୁ ଫେରାଇ ଦେଇଛନ୍ତି।

ଏପରିକି ସେମାନଙ୍କ ଫାଇଲରେ ନୋ-ଏନଗେଜମେଣ୍ଟ ସାର୍ଟିଫିକେଟ ସଂଲଗ୍ନ କରି ଦେବାକୁ କୁହାଯାଇଛି। ଯେହେତୁ ରାଜ୍ୟରେ ଗମନାଗମନ ବ୍ୟବସ୍ଥା ଠିକ୍ ନାହିଁ ତେଣୁ ବିଭିନ୍ନ କଲେଜକୁ ଏ ନିୟମ ସମ୍ପର୍କରେ ଅବଗତ କରାଯିବା ସହ ଏଣିକି ଯେଉଁମାନେ ଅବସର ଗ୍ରହଣ କରିବେ ସେମାନଙ୍କ ଡକ୍ୟୁମେଣ୍ଟ ସହ ନୋ-ଏନଗେଜମେଣ୍ଟ ସାର୍ଟିଫିକେଟ ଦେବାକୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଜୁଲାଇରେ ଯେଉଁ ୧୨୦ଜଣଙ୍କ ଫାଇଲ ଟ୍ରେଜେରୀକୁ ପଠାଯାଇଥିଲା ସେଗୁଡ଼ିକ ଲାଗି ଏହି ନିୟମ ଲାଗୁ ନକରିବାକୁ ମଧ୍ୟ ଟ୍ରେଜେରୀ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅନୁରୋଧ କରାଯାଇଛି।